ତମାଖୁରେ ବର୍ଷକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ଉଦ୍ଦେଶ୍ୟରେ କୋଆଲିଶନ୍‌ ଫର୍‌ ଟବାକୋ ଫ୍ରି ଓଡ଼ିଶା ଏବଂ ‘ପିକକ୍‌’ର ମିଳିତ ଉଦ୍ୟମରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମ ରବିବାର ଭାରତୀୟ ବିଦ୍ୟାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ତମାଖୁ ବ୍ୟବହାର ହ୍ରାସ କରି ଜନସ୍ବାସ୍ଥ୍ୟରେ ଉନ୍ନତି’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ, ତମାଖୁ ଦ୍ୱାରା ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏହା ମୋଟ ମୃତ୍ୟୁର ୯.୫%। ଗ୍ଲୋବାଲ୍‌ ୱାର୍ଲଡ ତମାଖୁ ସର୍ଭେ (ଜିଏଟିଏସ୍‌) ୨୦୧୬-୧୭ର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୧୫ବର୍ଷରୁ ଅଧିକ(୨୯%) ବୟସର ପ୍ରାୟ ୨୬୭ ମିଲିୟନ୍‌ ଲୋକ ହେଉଛନ୍ତି ତମାଖୁ ବ୍ୟବହାରକାରୀ। ଏଥିସହିତ ୩୮.୭% କିଶୋର ଘରେ, ୩୦.୨% କର୍ମ କ୍ଷେତ୍ରରେ ଏବଂ ୭.୪% ରେଷ୍ଟୁରାଣ୍ଟର ପରୋକ୍ଷ ଭାବେ ତମାଖୁ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ବୋଲି ମତପ୍ରକାଶ ପାଇଛି। ରାଜ୍ୟସଭା ସଦସ୍ୟା ସୁଲତା ଦେଓ ଯୋଗଦେଇ କହିଲେ, ତମାଖୁ ସେବନ କରୁଥିବା ଲୋକଙ୍କ ଅପେକ୍ଷା ତମାଖୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଧିକ ପ୍ରଭାବିତ କରିଥାଏ। ତମାଖୁ ଉତ୍ପାଦନ ଓ ବିକ୍ରିକୁ ହ୍ରାସ କରିବାରେ ଆମେ ଗଭୀର ଭାବରେ ଦୃଷ୍ଟି ଦେବା ଉଚିତ। କାରଣ ତମାଖୁ ବିକ୍ରୟରୁ ସଂଗୃହୀତ ରାଜସ୍ବ ଅପେକ୍ଷା ତମାଖୁ ସମ୍ବନ୍ଧୀୟ ରୋଗ ପାଇଁ ସ୍ବାସ୍ଥ୍ୟସେବା ଓ ଚିକିତ୍ସାରେ ଖର୍ଚ୍ଚ ଅଧିକ ହୋଇଥାଏ। ଏହିପରି ସଚେତନତା କାର୍ଯ୍ୟକ୍ରମ କେବଳ ସହରାଞ୍ଚଳ ନୁହେଁ, ଦୁର୍ଗମ ଅଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ କରାଯିବା ଆବଶ୍ୟକ ବୋଲି ସୁଲତା କହିଥିଲେ। ପିକକ୍‌୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତ କହିଛନ୍ତି, ସହଜରେ ମିଳି ଯାଉଥିବାରୁ ଆଜିକାଲି ପିଲାମାନେ ତମାଖୁ ସେବନ କରୁଛନ୍ତି। ତମାଖୁର ବ୍ୟାପକ ବ୍ୟବହାର ତଥା ଏହାର କ୍ଷତିକାରକ ପରିଣାମକୁ ରୋକିବା ପାଇଁ କୋଟ୍‌ପା ଆଇନ ଆମର ପ୍ରୟାସରେ ଏକ ମୂଳଦୁଆ ଭାବରେ ଛିଡ଼ା ହୋଇଛି। ଏଥିପାଇଁ ଆମକୁ ଏହି ଆକ୍ଟକୁ ଆହୁରି ମଜବୁତ୍‌ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ତମାଖୁ ନିୟନ୍ତ୍ରଣ ସେଲ୍‌ର ସହକାରୀ ପରିଚାଳକ ସୁଶାନ୍ତ କୁମାର ବିଶ୍ୱାଳ,ପିକକ୍‌୍‌ର ଚେୟାରମ୍ୟାନ୍‌ ମିନାକ୍ଷୀ ପଣ୍ଡା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ସତ୍ୟଶିବ ରଥ ଯୋଗଦେଇଥିଲେ। ଯୁବ ଆମ୍ବାସଡର୍‌ ତୃପ୍ତିମୟୀ ବେହେରା, ସସ୍ମିତା ଭୋଇ ଏବଂ ସୁଭାଷ ଚନ୍ଦ୍ର ମହାନ୍ତି ସେମାନଙ୍କ ଅନୁଭୂତି ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗଦେଇଥିଲେ। ମହିଳାମାନେ କିପରି ଘରେ ତଥା ସମାଜରେ ତମାଖୁ ସେବନ ଉପରେ ପରିବର୍ତ୍ତନ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ସେ ଉପରେ ମଧ୍ୟ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

Share