ଆଦିବାସୀ ବହୁଳ କେନ୍ଦୁଝର ଜିଲାରେ ରଜ ପର୍ବ ନିଆରା। ଏଥିରେ ଆଦିବାସୀ ନୃତ୍ୟଗୀତର ଝଲକ ଦେଖିବାକୁ ମିଳିଥାଏ। ଏଥିପାଇଁ ରଜର ୩/୪ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଘର ଲିପାପୋଛା ଓ ରଙ୍ଗ ମରା ହୋଇଥାଏ। ନୂଆ ଲୁଗାପଟା କିଣା ସାଙ୍ଗକୁ ପିଠାପଣା ପ୍ରସ୍ତୁତି ଆରମ୍ଭ ହୋଇଯାଏ। ବିଭିନ୍ନ ପ୍ରକାରର ମଣ୍ଡା, କାକରା, ଆରିସା, ପୋଡ଼ପିଠା, ସିଝା, ଚକୁଳି ଆଦି ପିଠା ପ୍ରସ୍ତୁତି କରାଯାଏ। କାରଣ ମହିଳାମାନେ ରଜ ଦିନ ଦୋଳି ଖେଳରେ ସମୟ ବିତାଇଥାନ୍ତି। କମ୍ କାମ କରିଥାନ୍ତି। ନୂଆ ପୋଷାକ ପିନ୍ଧି ସୁସଜ୍ଜିତ ହୋଇ ମହିଳା ଓ କୁମାରୀମାନେ ପିଠାପଣା ଖାଇ ଦୋଳି ଖେଳନ୍ତି। ଘରେ ମାଂସ, ମାଛର ତରକାରି ପ୍ରସ୍ତୁତ ହୋଇଥାଏ। ପିଲାଠାରୁ ଆରମ୍ଭ କରି ବୟସ୍କ, ବୃଦ୍ଧାବୃଦ୍ଧ ସମସ୍ତଙ୍କ ମଧ୍ୟରେ ଭିନ୍ନ ଖୁସି ଓ ଉନ୍ମାଦ ଦେଖିବାକୁ ମିଳେ।
ପରମ୍ପରାକୁ ବଜାୟ ରଖିବା ପାଇଁ ଜିଲା ମୁଖ୍ୟାଳୟ, ବୀଣାଝରୀ, ବିସ୍ତାପାଳ, ଜଳବଙ୍ଗ, ସୀତାବିଞ୍ଜ ଭଳି କେତେକ ଗ୍ରାମ ଓ ଆନନ୍ଦପୁର ଅଞ୍ଚଳରେ ସ୍ଥାନୀୟ ଲୋକ ଓ ସଙ୍ଗଠନ ଉଦ୍ୟମରେ ମେଳା ଆୟୋଜନ କରାଯାଉଛି। ସେହିପରି ଜିଲାର ଗୋବର୍ଦ୍ଧନ, ଜାମୁଜୋଡି, ପଟିଲୋ, ବଲାଣୀପଶି, ଜଙ୍ଘିରା, ଚମ୍ପୁଆ, ଉଖୁଣ୍ଡା, ଜାଲି, ତେଲକୋଇ, ଆନନ୍ଦପୁର ଓ ବାଂଶପାଳ ବ୍ଲକର ଆଦିବାସୀ ଅଞ୍ଚଳରେ ରଜ ପର୍ବ ପାଳନ କରାଯାଉଛି। ସହରାଞ୍ଚଳରେ ପାର୍କର ଲୁହା ଦୋଳିରେ ଖେଳିଥାନ୍ତି। ଦୋଳିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାର ରଜ ଗୀତ, ତାସ, ଲୁଡୁ, ବାଗୁଡ଼ି ଆଦି ଖେଳ ପ୍ରତିଯୋଗିତା ସହ ନାଚଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଘଟଗଁା ବ୍ଲକର ବୀଣାଝରୀରେ ବହୁ କିସମର ଦୋଳି ଅନେକଙ୍କୁ ଆକୃଷ୍ଟ କରିଥାଏ। ସେହିପରି ସଦର ବ୍ଲକର ବିସ୍ତାପାଳରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ପୁରୁଷଙ୍କ ରାତିତମାମ ନୃତ୍ୟଗୀତ, ସଦର ବ୍ଲକର ଜଳବଙ୍ଗରେ ରଜବତୀ ବିବାହ ନିଆରା ପରମ୍ପରା ବହୁ ବର୍ଷରୁ ଚାଲିଆସୁଛି। ପାୈରାଣିକ ପୀଠ ସୀତାବିଞ୍ଜ୍ରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ। ଏଠାରେ ଦୋଳିର ସେଭଳି ବ୍ୟବସ୍ଥା ନ ଥିଲେ ମଧ୍ୟ ମାତା ସୀତା, ଲବ ଓ କୁଶଙ୍କ ପ୍ରସ୍ତର ମୂର୍ତ୍ତି ଦର୍ଶନ କରିବାକୁ ଲୋକେ ଏହି ପୀଠକୁ ଆସିଥାନ୍ତି।
ସାହିତି୍ୟକ ଲଗ୍ନଜିତ ପ୍ରଦୀପ ରାଉତ କହନ୍ତି, ଏହି ଦିନରେ ପରିବାର ଲୋକେ ଯେଉଁଠି ଥାଆନ୍ତୁନା କାହିଁକି ଏକାଠି ହୋଇଥାନ୍ତି। ବେଶ୍ ଖୁସିରେ ପର୍ବ ପାଳନ କରିଥାନ୍ତି। ଆଗରୁ ପ୍ରତ୍ୟେକ ଗ୍ରାମ ବା ଘରେ ଘରେ ଦୋଳି ହେଉଥିଲା। କିନ୍ତୁ ଜଙ୍ଗଲ ଧ୍ୱଂସ ପାଇବା ସହ ଜଙ୍ଗଲ ସୁରକ୍ଷା ପାଇଁ ଆଇନ କଡ଼ାକଡ଼ି ହେବା ସାଙ୍ଗକୁ ଲୋକଙ୍କ ମଧ୍ୟରେ ଆଗ୍ରହ କମୁଥିବାରୁ ଏହି ପର୍ବ ଆଗଭଳି ପାଳନ ହୋଇପାରୁନାହିଁ ବୋଲି ଗବେଷକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର