ଖୋର୍ଦ୍ଧାରେ ଆଜି ୭୯ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ବ୍ଲକରୁ କେତେ

ଖୋର୍ଦ୍ଧା ଅଫିସ,୨୪ା୭: ଖୋର୍ଦ୍ଧା ଜିଲାରେ ଉଦ୍‌ବେଗଜନକ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗଞ୍ଜାମ ଜିଲା ପରେ ଅଧିକ ସଂକ୍ରମିତ ଜିଲା ହେଉଛି ଖୋର୍ଦ୍ଧା। ଶୁକ୍ରବାର ଏହି ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳରୁ ୩ ଜଣ ଅଛନ୍ତି। ସେଥିରୁ ଜଙ୍କିଆରୁ ୪୫ ବର୍ଷୀୟ ଜଣେ ବ୍ୟକ୍ତି, ଗୁରୁଜଙ୍ଗ ମାଳିସାହିର ୨୩ ବର୍ଷୀୟ ଯୁବକ ଏବଂ ପୋଲିସ କଲୋନୀରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି। ସମସ୍ତେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସେହିପରି ବାଣପୁର ବ୍ଲକ ଅଞ୍ଚଳରୁ ୨୩, ବାଲୁଗାଁ ୧୬, ଟାଙ୍ଗୀ ୩, ଜଟଣୀ ୧୧, ବେଗୁନିଆ ୭, ବାଲିପାଟଣା ୭, ମେଣ୍ଢାଶାଳ (ଭୁବନେଶ୍ବର ବ୍ଲକ)୭ ଏବଂ ବୋଲଗଡ଼ ବ୍ଲକରୁ ୨ଜଣ ଅଛନ୍ତି।
ଏନେଇ ଜିଲାପାଳ ଶୀତାଂଶୁ ରାଉତ କୁହନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପ୍ରତି ଜନସାଧାରଣ ସଚେତନ ହେବା ଜରୁରୀ। ଘରୁ ବାହାରିଲେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। କରୋନା ନିୟନ୍ତ୍ରଣ ଲାଗି କୋଭିଡ୍‌ ପରିଚାଳନା କମିଟି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ଏବଂ ଗ୍ରାମ୍ୟ, ଓ୍ବାର୍ଡ ଓ ବସ୍ତିସ୍ତରୀୟ କମିଟି ରହିଛି। ଏହି କମିଟି ନିଜ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ, ରିପୋର୍ଟ ହାସଲ କରିବା ସହ ସଚେତନ କରୁଛନ୍ତି। ଜାମୁଝରି ଓ ଖୁଦୁପୁରଠାରେ ଦୁଇଟି କୋଭିଡ୍‌ କେୟାର ସେଣ୍ଟର ରହିଛି। ଏଥିସହିତ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ରହିଛି। ଥଣ୍ଡା, କାଶ, ଜ୍ବର ତଥା କରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ଏଠାରେ ରଖିବା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି।