ଆଜି କଂଗ୍ରେସର ଗ୍ରୀଡ୍‌କୋ ଅଫିସ୍‌ ଘେରାଉ, ରାଜ୍ୟପାଳଙ୍କୁ ଦାବିପତ୍ର ଦେବ ଭାଜପା

ଭୁବନେଶ୍ବର, ୧୯ା୬(ସୁନିତ୍‌ ମିଶ୍ର): ବାରମ୍ବାର ବିଦ୍ୟୁତ୍‌ କାଟ ଏବଂ ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ରାଜ୍ୟ ଗ୍ରୀଡ୍‌କୋ ଅଫିସ ଘେରାଉ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ, ବକେୟା ବିଜୁଳି ବିଲ୍‌ ଉପରେ ସୁଧ କଷି ଲୋକଙ୍କୁ ଲୁଣ୍ଠନ କରିବା କାମରୁ ଟାଟା ପାୱାର ନିବୃତ୍ତ ରୁହନ୍ତୁ। ବାରମ୍ବାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବିଜେଡି ସରକାର ଗୋଟିଏ ବି କଥା ପାଳନ କରିପାରିଲେ ନାହିଁ। ଜନଶୋଷଣ ଏ ସରକାରର ମୂଳ ମନ୍ତ୍ର ପାଲଟିଛି। ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ବାରମ୍ବାର କହୁଛନ୍ତି ଯେ, ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ। କିନ୍ତୁ କାହିଁକି ଏଠି ବିଦ୍ୟୁତ୍‌ ଦାମ୍‌ ୟୁନିଟ ପିଛା ଏତେ ଅଧିକ ବୋଲି ଶରତ ପ୍ରଶ୍ନ ପଚାରିଛନ୍ତି। ଅନ୍ୟପଟେ ଭାଜପା ଭୁବନେଶ୍ୱର ଜିଲା ସଙ୍ଗଠନ ପକ୍ଷରୁ ମଧ୍ୟ ଅଘୋଷିତ ବିଜୁଳି କାଟ୍‌ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେମାନଙ୍କ ଦଳ ତରଫରୁ ସୂଚନା ଦିଆଯାଇଛି। ଭାଜପାର କର୍ମୀମାନେ ରାଲିରେ ବାହାରି ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚି ଦାବିପତ୍ର ପ୍ରଦାନ କରିବେ।

Share