ଆଜି ୧୪ ଜିଲାକୁ କୁଆପଥର ବର୍ଷା

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିସହ କୁଆପଥର ମାଡ଼ ହେଉଛି। ୧୫ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉତ୍ତର ଓଡ଼ିଶା ଉପକୂଳରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ମଙ୍ଗଳବାର ରାତିରୁ ବୁଧବାର ସକାଳ ସାଢ଼େ ୮ ଭିତରେ କନ୍ଧମାଳର ଜି ଉଦୟଗିରିରେ ସର୍ବାଧିକ ୭୨.୪ମିମି ବର୍ଷା ରେକର୍ଡ କରାଯାଇଛି। ଗୁରୁବାର କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଆଦି ୬ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିସହିତ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, କଟକ ଓ ଗଞ୍ଜାମ ଆଦି ୧୪ ଜିଲାରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ଏସବୁ ଜିଲାକୁ ୟେଲୋ ଓ୍ବାନିର୍ଂ ଜାରି ହୋଇଛି।

Share