Categories: ଜାତୀୟ

ଆଜି ମୋତେ ବହିଷ୍କୃତ କଲେ, କାଲି ମୋ’ ଘରକୁ ସିବିଆଇ ଆସିବ: ମହୁଆ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଶୁକ୍ରବାର ଏଥିକ୍ସ କମିଟିର ଯାଞ୍ଚରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ତାଙ୍କ ଉପରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ହୋଇଥିଲା। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଏହି ଅଭିଯୋଗ କରିଥିଲେ। ଏହାପରେ ମହୁଆ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ।

ସଦସ୍ୟତା ଯିବା ପରେ ମହୁଆ ସଂସଦରୁ ରାଗରେ ବାହାରିଥିବା ଦେଖାଯାଇଥିଲା। ଏହି ସମୟରେ ସେ ଖବରଦାତାଙ୍କ ସମ୍ମୁଖରେ ପ୍ରତିକ୍ରିୟା ରଖି ଭାଜପା ଉପରେ ବର୍ଷିଛନ୍ତି। ଆଜି ମୋତେ ବହିଷ୍କୃତ କରାଯାଇଛି, କାଲି ମୋ ଘରକୁ ସିବିଆଇ ଆସିବ। ଆଦାନୀଙ୍କର କିନ୍ତୁ କିଛି ହେବନାହିଁ। ମୁଁ ଆଦାନୀ ପ୍ରସଙ୍ଗ ଉଠାଇଥିଲି। ତାଙ୍କର ୩୦ ହଜାର କୋଟି ଘୋଟାଲାରେ ସରକାର ଚୁପ୍‌ କାହିଁକି? ମୋ ବିରୋଧରେ ହୋଇଥିବା ଯାଞ୍ଚରେ ଟଙ୍କା ମିଳିନାହିଁ। ହେଲେ କଙ୍ଗାରୁ କୋର୍ଟ ଭଳି କମିଟି କାର୍ଯ୍ୟ କରିଥିବା ମହୁଆ ଅଭିଯୋଗ କରିଛନ୍ତି।

କେବଳ ଏତିକି ନୁହେଁ ମହୁଆ କହିଛନ୍ତି, କମିଟି ସମସ୍ତ ନିୟମ ଭାଙ୍ଗିଛି। ବିସ୍ତୃତ ଭାବେ ମାମଲାର ଯାଞ୍ଚ କରାଯାଇନାହିଁ। ଏହା ଭାଜପା ସରକାର ପତନର ଆରମ୍ଭ ମାତ୍ର। କାରଣ ଏହି ସରକାର ମହିଳା ଏବଂ ମୁସଲମାନଙ୍କୁ ଘୃଣା କରେ। ପୂର୍ବରୁ ଭାଜପା ଏମ୍‌ପି ରମେଶ ବିଧୁଡି ମଧ୍ୟ ମୁସଲମାନଙ୍କୁ ଅପଶବ୍ଦ କହିଥିଲେ ହେଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି ।

Share