ଆଜି ରାଜ୍ୟର ୩୦୭ କେନ୍ଦ୍ରରେ ଓଟିଇଟି

କଟକ ,୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ନେଇ ପୁଣି ବିଭ୍ରାଟ ଦେଖାଦେଇଛି। ବିଗତ ଦିନରେ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଦେଖାଦେଇଥିବାବେଳେ ଏବେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଛି।
ଶନିବାର ରାଜ୍ୟର ୩୦୭ କେନ୍ଦ୍ରରେ ପରୀକ୍ଷାର୍ଥୀ ଓଟିଇଟି ଦେବେ। ହେଲେ ପରୀକ୍ଷା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପରୀକ୍ଷା ପ୍ରଶ୍ନପତ୍ର ଘୂରି ବୁଲୁଥିବା ଚର୍ଚ୍ଚା ହେଉଛି। ତେବେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଏପରି ଘଟଣା ପରୀକ୍ଷାର୍ଥୀଙ୍କୁ ଚିନ୍ତାରେ ପକାଇଛି। ଏ ନେଇ ଶୁକ୍ରବାର ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଅମୂଳକ। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ପରୀକ୍ଷାର୍ଥୀମାନେ ଦୁଇଟି ପେପରରେ ପରୀକ୍ଷା ଦେବେ। ପୂର୍ବାହ୍ନ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପେପର-୧ ଓ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ।

Share