ଜିକ୍ୱେବେରା,୧୨ା୧୨: ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳିବ ଭାରତ। ଟି୨୦ ବିଶ୍ୱକପ ପୂର୍ବରୁ ଆଉ ମାତ୍ର ୫ଟି ମ୍ୟାଚ୍ ବାକି ରହିଥିବା ବେଳେ ଦଳ ଚୟନକୁ ନେଇ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଦ୍ୱନ୍ଦ୍ୱରେ ରହିଛି।
ଚୟନକର୍ତ୍ତା ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଥିଲେ। ଶୁବମନ ଗିଲ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ ଓ ଯଶସ୍ବୀ ଜୟସ୍ବାଲଙ୍କ ମଧ୍ୟରୁ ଜଣଙ୍କୁ ଓପନିଙ୍ଗ ସ୍ଲଟ୍ ଛାଡିବାକୁ ପଡିବ। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟି୨୦ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ରହିଥିବା ବେଳେ ଯଶ୍ପ୍ରୀତ୍ ବୁମ୍ରା ବର୍ତ୍ତମାନ ବିଶ୍ରାମ ନେଉଛନ୍ତି। ଏହି ୩ ଖେଳାଳି ପ୍ରତ୍ୟାବର୍ତ୍ତନ କଲେ ଦଳର ସମୀକରଣ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ।
ଜୁନ୍ ମାସରେ ବିଶ୍ୱକପ ରହିଥିବା ବେଳେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜ୍କୁ ବଡ ଟୁର୍ନାମେଣ୍ଟ ଭାବେ ଗ୍ରହଣ କରାଯାଏ। ଏହାପରେ ଜାନୁୟାରୀରେ ଆଫଗାନିସ୍ତାନ ବିପକ୍ଷରେ ଆଉ ଏକ ଟି୨୦ ସିରିଜ୍ ଖେଳିବ ଭାରତ। ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଭାରତ ହାତରେ ମାତ୍ର ୫ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରହିଛି। ଏପରି କ୍ଷେତ୍ରରେ ସମସ୍ତ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ବା ପରଖିବା ମଧ୍ୟ ଅସମ୍ଭବ।