ଆଜି ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୨୫ା୯(ବ୍ୟୁରୋ):କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରି ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିରେ ଦେଶର ବିଭିନ୍ନ କୃଷକ ସଂଗଠନ ସାମିଲ ହେବେ। ସମିତିର ଓଡ଼ିଶା କମିଟି ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବ ବୋଲି ରାଜ୍ୟ ଆବାହକ ମଣ୍ଡଳୀ ପକ୍ଷରୁ କୁହାଯାଇଛି। ସଂଗଠନର ସଦସ୍ୟମାନେ ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବେ। ତେବେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଭଳି ଅନ୍ୟ ରାଜ୍ୟଗୁଡ଼ିକରେ ଏହି ବିଲ୍‌ ବିରୋଧରେ ସମିତି ପକ୍ଷରୁ ବନ୍ଦ ପାଳନ କରାଯିବ। ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିଛି। ଅତ୍ୟାବଶ୍ୟକ ସେବା ଆଇନ-୧୯୫୫କୁ ସଂଶୋଧନ, କଣ୍ଟ୍ରାକ୍ଟ ଫାର୍ମିଂ ଏବଂ ଇ- ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟିଗୁଡ଼ିକୁ ଭାଙ୍ଗିବା ପାଇଁ କୃଷି ବିଲ୍‌ରେ ଚକ୍ରାନ୍ତ କରାଯାଇଛି। ଏହା ଭାରତ ବର୍ଷର କୃଷକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ସାଜିବା ସହ କର୍ପୋରେଟ୍‌ଗୁଡ଼ିକୁ ସହାୟକ ହେବ। ଯାହାକୁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ କଡ଼ା ବିରୋଧ କରାଯାଉଛି ବୋଲି ଅଲ୍‌ ଇଣ୍ଡିଆ କିଷାନ ସଭା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି। ବିଲ୍‌ ବିରୋଧରେ ସାରା ଦେଶରେ ବନ୍ଦ ଆହ୍ବାନ ସହିତ ପିକେଟିଂ କରାଯିବ ବୋଲି ସେ କହିଛନ୍ତି।

Share