ଭୁବନେଶ୍ୱର,୧୫।୩: ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ ହୋଇଛି।
ଅନ୍ୟପଟେ ହୋଲି ପାଇଁ କଟକ ସହରରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ଏପରିକି ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ହୋଲି ଖେଳ ସାରିବାକୁ ଡିସିପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ଏପରିକି ହୋଲିରେ ମଦ ଦୋକାନ ବନ୍ଦ ରହିବ ବୋଲି ଡିସିପି ସୂଚନା ଦେଇଛନ୍ତି। ବେଆଇନ ଭାବେ ମଦ ବିକିଲେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ନଦୀରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି।