ଆଜି ପାରାଦୀପ ବନ୍ଦର ଦିବସ, ବୋଇତ ବନ୍ଦାଣ ଉତ୍ସବ

ପାରାଦୀପ,୨୭।୧୧(ଶରତ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ବନ୍ଦର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର (ରାଷ୍ଟ୍ର) ଜାହାଜ ଚଳାଚଳ ଜଳମାର୍ଗ ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀପଦ ୟେଶୋ ନାୟକ, ଆଦିବାସୀ ଓ ଜଳଶକ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜାହାଜ ଚଳାଚଳ ଓ ଜଳମାର୍ଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେବେ। ବନ୍ଦର ଭିତରେ ସୁସଜ୍ଜିତ ବୋଇତରେ ସାଧବ ପୁଅଙ୍କୁ ରାଷ୍ଟ୍ରପତି ମେଲାଣି ଦେବେ। ପରେ କୋଷ୍ଟଗାର୍ଡ ଜାହାଜରେ ପୋତାଶ୍ରୟ ଓ ସମୁଦ୍ର ଭିତରେ କିଛି ସମୟ ଭ୍ରମଣ କରିବେ। ପୂର୍ବାହ୍ନ ୧୦ ଟାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଏହି ବୋଇତ ବନ୍ଦାଣ ଉତ୍ସବ ପାଳନ ହେବ। ତା’ପରେ ସଡ଼କ ପଥରେ ନେହେରୁ ବଙ୍ଗଳା ଯିବେ। ସେଠାରେ ଜବାହର ଅତିଥି ଭବନରେ କେତେଜଣ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିବେ। ମଧ୍ୟାହ୍ନ ଭୋଜନ ସାରିବା ପରେ ଅପରାହ୍ନ ୩.୫୦ରେ ପାରାଦୀପ ଛାଡ଼ିବେ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱର ଯିବେ। ସେଠାରୁ ସାରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି।

Share