ଆଜି ଓୟୁଏଟିର ୩୯ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୯ତମ ସମାବର୍ତ୍ତନ ଉତ୍ସବ ସୋମବାର ପାଳନ ହେବ। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପୌରୋହିତ୍ୟ କରିବେ। ଭାରତର କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଯୁବ କୃଷି ଉଦ୍ୟୋଗୀ ପଦ୍ମଶ୍ରୀ ସୁଶ୍ରୀ ସାବରମତୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ। ଏହି ସମାବର୍ତ୍ତନ ଉତ୍ସବରେ ୮୨୧ ଜଣଙ୍କୁ ସ୍ନାତକ, ୫୧୦ ଜଣଙ୍କୁ ସ୍ନାତକୋତ୍ତର ଏବଂ ୬୪ ଜଣଙ୍କୁ ପିଏଚ୍‌.ଡି. ଡିଗ୍ରୀ ଦିଆଯିବ। ଏହା ବ୍ୟତୀତ ୧୧୩ଟି ସ୍ବର୍ଣ୍ଣପଦକ ଏବଂ ୬ଟି ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ରବିବାର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ.ରାଉଳ, ନିର୍ଦ୍ଦେଶକ ଏଚ୍‌.କେ. ପାତ୍ର ଏବଂ ରେଜିଷ୍ଟ୍ରାର ଲୋପାମୁଦ୍ରା ମହାନ୍ତି ସୂଚନା ଦେଇଛନ୍ତି।

Share