ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ,୩୦ା୬ (ଅଜିତ୍‌ ମହାନ୍ତି): ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସରିଆସୁଛି। ଗୁରୁବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଶୁକ୍ରବାର ତିନିରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯିବ। ରଥାରୂଢ ଠାକୁରମାନଙ୍କୁ ପଣା ଲାଗିହେବ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାଟିହାଣ୍ଡିରେ ପଣା ରଖାଯାଇ ଭୋଗ କରାଯାଉଥିବାରୁ ଏହି ନୀତିକୁ ଅଧରପଣା ନୀତି କୁହାଯାଇଥାଏ। ତିନି ବାଡ଼ରେ ତିନି ରଥ ଉପରେ ତିନୋଟି ଲେଖାଏ ଏହି ହିସାବରେ ମୋଟ ୯ଟି ହାଣ୍ଡିରେ ପଣାଭୋଗ କରାଯିବ। ପୂର୍ବରୁ ତିନିଦିନ ଧରି ଅଧରପଣା ନୀତି ହେଉଥିଲା ଓ ୧୨ଟି ହାଣ୍ଡିରେ ଅଧରପଣା ଭୋଗ ଲାଗିକରାଯାଉଥିଲା ବୋଲି ଶୁଣିବାକୁ ମିଳେ। ଏବେ କିନ୍ତୁ ତିନିରଥ ପାଇଁ ଗୋଟିଏ ଦିନରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ ହେଉଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ରଥ ଉପରେ ମଧ୍ୟାହ୍ନ ଧୂପ ସରିବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ଛେନା, ସର, କଦଳୀ, ଛାଚି, ଗୋଲ ମରିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତି ପଡ଼ି ଅଧରପଣା ପ୍ରସ୍ତୁତ କରାଯାଏ। ନୀତି ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାରେ ଜଳ କାଢ଼ି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି। ପଣା ପ୍ରସ୍ତୁତ ହୋଇ ଅଧର ଚୁମ୍ବିତ ମାଟିହାଣ୍ଡିଗୁଡିକରେ ରଖାଯାଏ। ଭୋଗ ହେବା ପରେ ଠାକୁରମାନଙ୍କ ସମ୍ମୁଖରେ ପଣାହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଇଥାଏ। ଜନଶ୍ରୁତି ରହିଛି ଯେ, ତିନିରଥରେ ଠାକୁରଙ୍କ ସାଥିରେ ୩୩ କୋଟି ଦେବଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ ଚାମୁଣ୍ଡା, ଭୂତ, ପ୍ରେତ ଯାଇଥାନ୍ତି। ଠାକୁରମାନଙ୍କୁ ଅର୍ପିତ ଅଧରପଣା ରଥର ପାଶର୍‌ବ ଦେବଦେବୀ, ଅନ୍ୟାନ୍ୟ ଚଣ୍ଡୀ ଚାମଣ୍ଡା ଓ ଅଶରୀରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତେଣୁ ଅଧରପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଇଥାଏ।

Share