ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୩୦ା୧୧:କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରବିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ରତ୍ନସିଂହାସନରେ ମହାପ୍ରଭୁଙ୍କ ଅତ୍ୟନ୍ତ ମନୋରମ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ। କିନ୍ତୁ କୋଭିଡ୍‌ କଟକଣା ପାଇଁ ଏହି ଦିବ୍ୟ ବେଶକୁ ଭକ୍ତ ଦର୍ଶନ କରିପାରିବେ ନାହିଁ। ତେବେ ଭକ୍ତମାନେ ପତିତପାବନଙ୍କ ଦର୍ଶନ କରିପାରିବେ।
ରବିବାର ଅବକାଶ ନୀତି ପରେ ଦାରୁବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶ କରାଯାଇଥିଲା। ଏହି ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ପ୍ରଭୁ ବଳଭଦ୍ର ସୁବର୍ଣ୍ଣର ହଳମୂଷଳ ଏବଂ ଜଗନ୍ନାଥ ମହାପ୍ରଭୁ ରୁପାଶଙ୍ଖ ଓ ସୁବର୍ଣ୍ଣ ଚକ୍ର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଚୁଳରେ ସୁବର୍ଣ୍ଣ କିଆ ଖଞ୍ଜାଯାଇଥିଲା। ଠାକୁରମାନେ ସୋଲ ଓ ଜରି ନିର୍ମିତ ବିଭିନ୍ନ ସୁବାସିତ ପୁଷ୍ପ ସମେତ ପାଟବସ୍ତ୍ରରେ ବିଭୂଷିତ ହୋଇଥିଲେ।

Share