ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିଂ ପାର୍ଟି ନିଜ ନିଜ ବୁଥ୍‌ରେ ପହଞ୍ଚିଯାଇଛନ୍ତି। ମତଦାନ କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକର ୨୦୦ ଜିଲା ପରିଷଦ ଜୋନ୍‌ର ୧୬୬୯ ଗ୍ରାମପଞ୍ଚାୟତରେ ଜିଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ। ଏଥିପାଇଁ ୨୨,୩୭୯ଟି ବୁଥ୍‌ରେ ମତଦାନ ହେବ। ମୋଟ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ୧ଟା ଯାଏ ଚାଲିବ।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବାକୁ ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୋଟ ୩୭,୨୪୫ ପୋଲିସ କର୍ମଚାରୀ ନିର୍ବାଚନ ଦାୟିତ୍ୱ ପରିଚାଳନା କରିବେ। ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଭୋଟ ଦେବା ପାଇଁ ଜଣେ ଭୋଟରଙ୍କ ପଞ୍ଚାୟତ ସକାଶେ ପ୍ରସ୍ତୁତ ଓ୍ବାର୍ଡଓ୍ବାରି ଭୋଟର ତାଲିକାରେ ନାମ ଥିବା ଜରୁରୀ। ଭୋଟରମାନେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଭୋଟର ପରିଚୟପତ୍ର ଦେଖାଇ ମତଦାନ କରିପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଉକ୍ତ ପରିଚୟପତ୍ର ନ ଥାଏ ତେବେ ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ୧୩ଟି ପ୍ରମାଣପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ। ସେଗୁଡ଼ିକ ହେଲା ରାଶନ କାର୍ଡ, ପ୍ୟାନ୍‌ କାର୍ଡ, ଆଧାର କାର୍ଡ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜବ୍‌ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା କାର୍ଡ, ବ୍ୟାଙ୍କ ପାସ୍‌ବୁକ, ପେନ୍‌ସନ୍‌ ଡକ୍ୟୁମେଣ୍ଟ ଇତ୍ୟାଦି। ଏହି ପରିଚୟପତ୍ର ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ବ୍ୟବହାର କରିପାରିବେ।
ଚଳିତ ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମୋଟ ୬,୭୯୪ ପଞ୍ଚାୟତରେ ଥିବା ୯୧,୯୧୩ ଓ୍ବାର୍ଡରେ ଭୋଟ ଗ୍ରହଣ କରାଯିବ। ମୋଟ ୯୧,୯୧୩ଟି ବୁଥ୍‌ ମଧ୍ୟରୁ ୧୩,୭୮୫ ଉତ୍ତେଜନାପ୍ରବଣ ବୁଥ୍‌ ରହିଛି। ଏହି ନିର୍ବାଚନରେ କମିଶନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି କ୍ୟାମେରା ଲଗାଯିବ ଓ ଭୋଟ ଗଣତିର ରେକର୍ଡିଂ ମଧ୍ୟ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।
ଚଳିତଥର ମତଦାନ ସମୟ ୧ ଘଣ୍ଟା ବୃଦ୍ଧି କରାଯାଇଛି। ପୂର୍ବରୁ ପୂର୍ବାହ୍ନ ୧୨ଟାରେ ଭୋଟଗ୍ରହଣ ଶେଷ ହେଉଥିଲା। ସେହିପରି ଭୋଟ ଗଣତି ମତଦାନ କେନ୍ଦ୍ରରେ ନ ହୋଇ ପ୍ରଥମଥର ଲାଗି ବ୍ଲକ ସଦରମହକୁମାରେ ୩ ଦିନ ଧରି ଅନୁଷ୍ଠିତ ହେବ। ପୂର୍ବରୁ ଯେଉଁ କେନ୍ଦ୍ରରେ ଭୋଟଗ୍ରହଣ ଶେଷ ହେଉଥିଲା, ସେଠାରେ ସେହିଦିନ ଗଣନା କରାଯାଉଥିଲା। ଏହାକୁ ନେଇ ଆପତ୍ତି ଅଭିଯୋଗ ହେବା ପରେ କମିଶନ ଏକକ ଗଣନା କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୋଟଗ୍ରହଣର ଦିନକ ପରେ ଅର୍ଥାତ ଫେବୃୟାରୀ ୨୬ ତାରିଖଠାରୁ ଜୋନ୍‌ଓ୍ବାରି ଗଣନା ହେବ। ସେହିଦିନ ଫଳାଫଳ ପ୍ରକାଶ କରାଯିବ।

Share