ଆଜିଠୁ ପିଜି ପ୍ରଥମ, ୟୁଜି ଦ୍ୱିତୀୟ ବର୍ଷ ପାଠପଢ଼ା

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ପିଜିର ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ ୭ରୁ ୧୯ ତାରିଖ ମଧ୍ୟରେ ହେବ। ଜୁଲାଇ ୨୦ ସୁଦ୍ଧା ପିଜି ପ୍ରଥମ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶ ପାଇବ। ସେହିପରି ୟୁଜି କୋର୍ସର ତୃତୀୟ ଓ ପଞ୍ଚମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୩୧ରେ ପରୀକ୍ଷାଫଳ ପ୍ରକାଶ ପାଇବ। ଅନ୍ୟପକ୍ଷରେ କ୍ଲାସ୍‌ ଆରମ୍ଭ ହେବାକୁ ଥିବାରୁ ୮ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡ଼ିକ ଖୋଲାଯାଇଛି। ଶ୍ରେଣୀଗୃହରେ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ପାଠପଢ଼ା ହେବ। ମାସ୍କ ବାଧ୍ୟତାମୂଳକ କରାଯିବା ସହ ଶ୍ରେଣୀଗୃହ, ଲାଇବ୍ରେରି ଓ ପରୀକ୍ଷାଗାରରେ ୬ ଫୁଟର ସାମାଜିକ ଦୂରତା ରଖାଯିବ ବୋଲି ବିଭାଗ ପକ୍ଷରୁ କୁହଯାଇଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି ଆମର ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଷର ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେଉଛି। ପିଲାମାନେ ମଧ୍ୟ ହଷ୍ଟେଲରେ ଆସି ରହିଲେଣି। ତେବେ ଆମେ ଗୋଟେ କଥା ଅନୁମାନ କରୁଛୁ ଯେ, ଛାତ୍ରୀଛାତ୍ରଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି। କଲେଜ ଖୋଲିବା ଫଳରେ ସେମାନେ ସିଧାସଳଖ ଶିକ୍ଷା ପାଇପାରିବେ। ପିଲାମାନେ ହଷ୍ଟେଲରେ ଯେପରି ସୁସ୍ଥ ରହିବେ, କ୍ଲାସ୍‌ରେ ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରିବେ ସେନେଇ ସମସ୍ତ କଲେଜ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୁହାଯାଇଛି। ଅଧ୍ୟାପକମାନେ କ୍ଲାସ୍‌ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ବହୁଦିନ ପରେ କ୍ଲାସ୍‌ ହେଉଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

Share