ଭୁବନେଶ୍ୱର,୧।୧୧(ବ୍ୟୁରୋ): କରୋନା ସ୍ଥିତି ବଦଳୁଥିବାରୁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ତେବେ କରୋନା କଟକଣାକୁ ଠିକ୍ ଭାବେ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମିତ ବ୍ୟବଧାନରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଶ୍ରେଣୀ ଗୃହ, ପାଠାଗାର ତଥା ଲାବରେଟୋରିରେ ଛାତ୍ରୀଛାତ୍ରମାନେ ସାମାଜିକ ଦୂରତା ବଜାୟ ରଖିବେ। କେହି କଲେଜ ପରିସର ମଧ୍ୟରେ ବାହାରେ ଏଣେ ତେଣେ ଛେପ ପକାଇ ପାରିବେ ନାହିଁ। ସେହିପରି କାଶିବା ବା ଛିଙ୍କିବାବେଳେ ରୁମାଲ ଆଦି ବ୍ୟବହାର କରିବେ। ଏଥିସହିତ ଛାତ୍ରୀଛାତ୍ରମାନେ ନିଜ ସ୍ବାସ୍ଥ୍ୟ ବିଷୟରେ ଯେପରି ସଚେତନ ରହିବେ, ସେଥିପାଇଁ ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ ପ୍ରୋତ୍ସାହିତ କରିବେ। ଜରୁରୀ ସ୍ଥିତି ପାଇଁ ସବୁ କଲେଜ ଏକ ନିର୍ଦ୍ଦିଷ୍ଟ କୋଠରିକୁ ପ୍ରସ୍ତୁତ ରଖିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। ଯେଉଁମାନେ ହଷ୍ଟେଲରେ ନାଁ ଲେଖାଇଛନ୍ତି, ସେମାନେ ସେଠାରେ ରହିପାରିବେ। ହଷ୍ଟେଲରେ ମଧ୍ୟ ସମସ୍ତ କରୋନା କଟକଣା ଯେମିତି ପାଳନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।