ଆଜି ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ

ପୁରୀ,୨୯।୬(ଅଜିତ୍‌ ମହାନ୍ତି)ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଗୁରୁବାର ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ରଥ ଉପରେ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼ିବା ପରେ ଠାକୁରଙ୍କ ସୁନାବେଶ ନୀତି ଆରମ୍ଭ ହେବ। ଅପରାହ୍ନ ୫ଟାରୁ ସାଢେ ୬ଟା ୩୦ ମଧ୍ୟରେ ସୁନାବେଶ ବଢିବା ଲାଗି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ତିନିଠାକୁର ହସ୍ତ, ପାଦ, କଣ୍ଠମାଳା, ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକୀରିଟ, କରପଲ୍ଲବ, ମୁଦି, କଣ୍ଠମାଳ, ବଳା, ବାହୁଟି, କାନ୍ତ ଓ କଟି ମେଖଳା ଆଦି ସ୍ବର୍ଣ୍ଣ ସହ ବହୁବିଧ ରତ୍ନଅଳଙ୍କାରରେ ସଜେଇ ହେବେ। ରାତି ୧୦ରୁ ୧୧ଟା ଭିତରେ ସୁନାବେଶ ମଇଲମ କରାଯିବ। ଅନ୍ୟାନ୍ୟ ନୀତି ବଢ଼ି ବଡ଼ସିଂହାର ବେଶ ପରେ ରାତି ୧ଟାରେ ରାତ୍ର ପହୁଡ଼ ହେବା ନେଇ ସୂଚନା ମିଳିଛି।
ଚଳିତ ବର୍ଷ ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share