ପୁରୀ ଅଫିସ,୪ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ଶ୍ରୀକ୍ଷେତ୍ର ସମେତ ଶ୍ରୀମନ୍ଦିରରେ ପଞ୍ଚକ ନୀତି ଆରମ୍ଭ ହେବ। ପଞ୍ଚକର ପ୍ରଥମ ଦିନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହେବ। ଅବକାଶ ନୀତି ପରେ ଏହି ବେଶ ହେବ। ଶ୍ରୀବିଗ୍ରହମାନେ ବେଶରେ ଥାଇ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହେବ। ସ୍ବର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିବେ। ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଓ ଆଡ଼କାନି, ଶ୍ରୀପୟର, ସୂର୍ଯ୍ୟଚନ୍ଦ୍ର, ଚନ୍ଦ୍ରିକା, ତଡ଼କୀ, ଓଡ଼ିଆଣୀ ପରି ୩୦ରୁ ଅଧିକ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିବେ। ଏହାବ୍ୟତୀତ ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣ କିରୀଟ ଶୋଭାପାଇବ ଓ କିରୀଟ ପଛ ପାଶର୍ବରେ ସୁବର୍ଣ୍ଣ କିଆ ଖଞ୍ଜା ହେବ। ଏହି ବେଶରେ ସୁବର୍ଣ୍ଣର କିଆ ଖଞ୍ଜାଯାଉଥିବାରୁ ଏହାକୁ ଠିଆବେଶ ବୋଲି ମଧ୍ୟ କୁହାଯାଏ।