ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି

ପୁରୀ ଅଫିସ,୨୫।୪: ବୈଶାଖ ମାସ କୃଷ୍ଣପକ୍ଷ ଦଶମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିର ଶ୍ରୀବିଗ୍ରହମାନଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଏହି ନୀତି ପ୍ରମୁଖ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ କରାଯିବା ପରେ ଲକ୍ଷ୍ମୀ ଏବଂ ସରସ୍ବତୀ ଖଟଶେଯ ଘରକୁ ବିଜେ କରିବେ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ନିମନ୍ତେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବେ। ପାଟ ଡୋରିରେ ନିର୍ମିତ ହୋଇଥିବା ଜାଲିଯୁକ୍ତ ବତ୍ସକୁ ମହାପ୍ରଭୁଙ୍କୁ ଲାଗି କରାଯିବ। ଯାହାକୁ ପଇତାଲାଗି ବୋଲି କୁହାଯାଇଥାଏ। ବର୍ଷକରେ ଦୁଇଥର ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଚନ୍ଦନଯାତ୍ରା ପୂର୍ବରୁ ଏବଂ ମହାପ୍ରଭୁଙ୍କ ଘୋଡଲାଗି ପୂର୍ବରୁ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୋଇଥାଏ।

Share