Categories: ଜାତୀୟ

ଆଜି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୬ା୮: ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଶନିବାର ସ୍ଥିର ହେବ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଦୁଇଜଣ ପୂର୍ବତନ ରାଜ୍ୟପାଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ ଆଲ୍‌ଭାଙ୍କୁ ଛିଡ଼ା କରାଇଛନ୍ତି। ବିଦାୟୀ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ଏଥିପାଇଁ ନୂଆ ଉପରାଷ୍ଟ୍ରପତି ଚୟନ ନିମନ୍ତେ ଶନିବାର ପାର୍ଲାମେଣ୍ଟ ହାଉସ୍‌ରେ ନିର୍ବାଚନ ହେବ। ଏଥିରେ ସଂସଦର ଉଭୟ ଗୃହର ମୋଟ ୭୯୦ ସଦସ୍ୟ ଭୋଟ ଦେଇପାରିବେ। ଇଲେକ୍ଟୋରାଲ କଲେଜର ସମସ୍ତ ମତଦାତା ପାର୍ଲାମେଣ୍ଟର ସଦସ୍ୟ ହୋଇଥିବାରୁ ପ୍ରତ୍ୟେକ ଏମ୍‌ପିଙ୍କ ଭୋଟର ମୂଲ୍ୟ ୧ ରହିବ। ବାଲଟ ପେପରରେ ଗୁପ୍ତ ମତଦାନ କରାଯିବ। ମତଦାତା କାହାକୁ ଭୋଟ ଦେଇଛନ୍ତି ତାହା କହିଲେ କିମ୍ବା ବାଲଟ ପେପର ଦେଖାଇଦେଲେ ତାଙ୍କ ଭୋଟ ରଦ୍ଦ ହୋଇଯିବ। ଏପରି କି କୌଣସି ଦଳ ନିଜ ଏମ୍‌ପିମାନଙ୍କ ଉପରେ ହୁଇପ୍‌ ଜାରି କରିପାରିବେ ନାହିଁ ବୋଲି ପୂର୍ବରୁ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ମତଦାନ ଶେଷ ହେବା ପରେ ଭୋଟ ଗଣତି କରାଯିବ। ସରକାରୀ ତଥ୍ୟାନୁସାରେ ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜରେ ରାଜ୍ୟ ସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟଙ୍କ ସମେତ ଲୋକ ସଭାର ୫୪୩ ନିର୍ବାଚିତ ଓ ୨ ମନୋନୀତ ସଦସ୍ୟ ଅଛନ୍ତି। ନିର୍ବାଚନରେ ବିଜୟୀ ହେବା ପାଇଁ ପ୍ରାର୍ଥୀଙ୍କୁ ୩୯୫ ଭୋଟ ଆବଶ୍ୟକ। ଧନକରଙ୍କୁ ୨୦ ଦଳ ସମର୍ଥନ କରୁଥିବାବେଳେ ଆଲ୍‌ଭାଙ୍କ ସପକ୍ଷରେ ୧୮ ଦଳ ଥିବା କୁହାଯାଉଛି। ତେଣୁ ଧନକରଙ୍କ ବିଜୟ ସମ୍ଭାବନା ଅଧିକ ରହିଛି।

Share