Advertisement

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୫ା୪(ସୁବାସ ଚନ୍ଦ୍ର ପ୍ରଧାନ): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରଥଖଳାରେ ଥିବା ରୁକୁଣା ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ବିଧି ମୁତାବକ ସମ୍ପନ୍ନ ହୋଇଛି। ଦୈନିକ ନୀତି ଠାକୁରାଣୀ ସନ୍ଧ୍ୟା ଧୂପ, ନବପତ୍ରିକା ପୂଜା ସରିବା ପରେ ପତ୍ରୀ ସେବକ ଘଣ୍ଟ, କାହାଳି ଓ ମଶାଲ ସହିତ ମୁକ୍ତେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ସେଠାରେ ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ୨ଘଡ଼ା(ମାଠିଆ) ପାଣି ଆଣାଯାଇ ରଥଖଳା ନିକଟରେ ଥିବା ରଥ ପ୍ରତିଷ୍ଠା ମଣ୍ଡପରେ ରଖାଯାଇଥିଲା। ଏହାପରେ ମନ୍ଦିର ପୁରୋହିତ ମନୋରଞ୍ଜନ ଦାଶ ଏବଂ ପୁରୀ ରାଜଗୁରୁଙ୍କ ସହ କ୍ଷେତ୍ରବାସୀ ବ୍ରାହ୍ମଣ ସେବାୟତ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିଥିଲେ। ରାଜଗୁରୁ କର୍ତ୍ତାଭାବେ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହାପରେ ରଥରେ ପତାକା ଓ ରଥ ବସ୍ତ୍ର ତଥା କପଡ଼ା ଲଗାଯାଇଥିଲା। ପାଳିଆ ପୂଜାପଣ୍ଡା ସେବକ ଦକ୍ଷିଣିଘରୁ ଶ୍ରୀଲିଙ୍ଗରାଜଙ୍କ ପ୍ରତିନିଧି ପଞ୍ଚବକ୍ରଙ୍କୁ ଧରି ରଥ ଉପରେ ପହଞ୍ଚିଥିଲେ। ଏହାପରେ ପତ୍ରୀ ସେବକ ଠା’ କରିସାରିବା ପରେ ପଞ୍ଚ ଉପଚାରରେ ଭୋଗ ନୈବେଦ୍ୟ କରାଯାଇ ଆଳତି କରାଯାଇଥିଲା। ସୂଚନାଥାଉ କି, ରଥ ନିର୍ମାଣ କାର୍ଯ୍ୟ ତଦାରଖ ନିମନ୍ତେ ପଞ୍ଚବକ୍ର ରଥକୁ ଯାଇଥିଲେ। ଏହାପରେ ପଞ୍ଚବକ୍ର ମନ୍ଦିରକୁ ବିଜେ କରିଥିଲେ। ପରେ ବଡ଼ସିଂହାର କରାଯାଇ ମନ୍ଦିର ପହୁଡ଼ ପଡ଼ିଥିଲା

ରଥ, ପଥ ପ୍ରସ୍ତୁତ
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳସମ୍ପଦ ବିଭାଗ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରାରେ ସହଯୋଗ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ମନ୍ଦିର ସିଂହଦ୍ୱାରକୁ ଫୁଲରେ ସଜାଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି। ଶନିବାର ଦୈନିକ ନୀତି ସମାପନ ପରେ ଅପରାହ୍ନ ୩ଟା ୩୦ରେ ରଥ ଟଣାଯିବ ବୋଲି ସ୍ଥିର ହୋଇଛି। ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩୭ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share