Categories: ରାଜ୍ୟ

ଆଜି ସବୁଠୁ ଛୋଟ ଦିନ

ଭୁବନେଶ୍ୱର, ୨୧।୧୨(ବନ୍ଦନା ସେଠୀ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୁଏ, ଯାହା କି ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ। ତେବେ ଚଳିତବର୍ଷ ଭୁବନେଶ୍ୱରରେ ଶୁକ୍ରବାର ୨୨ ତାରିଖ ସବୁଠାରୁ ଛୋଟ ଦିନ ହେବ। ଏହାର ଅବଧି ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ। ରାତି ଦୀର୍ଘତମ ହେବ ଅର୍ଥାତ୍‌ ୧୩ ଘଣ୍ଟା ୫ ମିନିଟ ୩୬ ସେକେଣ୍ଡ ରହିବ। ତେବେ ସୁନ୍ଦରଗଡ଼ଠାରେ ଦିନର ଲମ୍ବା ମାତ୍ର ୧୦ ଘଣ୍ଟା ୪୭ ମିନିଟ ଓ ଓ ମାଲକାନଗିରିରେ ଦିନ ୧୧ ଘଣ୍ଟା ୦୧ ମିନିଟ୍‌ ରହିବ।

କିନ୍ତୁ ଦିଲ୍ଲୀ ଓ କନ୍ୟାକୁମାରୀଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ ଓ ୧୧ ଘଣ୍ଟା ୩୯ ମିନିଟ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ପୂର୍ବତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ, ବର୍ଷର ଏହି ଛୋଟ ଦିନରୁ ଶୀତଦିନ ଆରମ୍ଭ ହେବାସହ ଧୀରେଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ। ମାର୍ଚ୍ଚ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।

ସୂଚନାଯୋଗ୍ୟ, ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ଘୂରୁଛି। ସେଥିପାଇଁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଗୋଟିଏ ସ୍ଥାନରେ ଅସ୍ତ ଯାଏ ନାହିଁ। ସୂର୍ଯ୍ୟର ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ମଧ୍ୟ ଦେଖାଯାଇଥାଏ। ପ୍ରତ୍ୟେକ ବର୍ଷ ଜୁନ ୨୧ରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ, ଯାହାକୁ ସୂର୍ଯ୍ୟର ଦକ୍ଷିଣାୟଣ ଗତି କୁହାଯାଏ। ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ଡିସେମ୍ବର ୨୨ ବେଳକୁ ସୂର୍ଯ୍ୟ ବିଷୁବ ରେଖାଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତି ଉପରେ ଗତି କରିଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।

Share