ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ:କନ୍ଧମାଳରେ କଡ଼ାସୁରକ୍ଷା

ଫୁଲବାଣୀ/ତୁମୁଡିବନ୍ଧ,୨୬ା୮(ରାକେଶ କୁମାର ରାଉତ/ ଦୀପକ ପରାସେଠ):କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପେଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମଠାରେ ସୋମବାର ପାଳନ ହେବ ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଷୋଡ଼ଶତମ ଶ୍ରାଦ୍ଧ ବାର୍ଷିକୀ। ଏଥିପାଇଁ ତୁମୁଡିବନ୍ଧର ଜଲେଶପେଟା ଆଶ୍ରମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳରେ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀ ନେଇ ଜଲେଶପେଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଅନ୍ତେବାସୀ ଆଶ୍ରମ ପରିସରକୁ ପରିଚ୍ଛନ୍ନତା କରିବା ସହ ସ୍ବାମିଜୀଙ୍କ ବଳିଦାନ କକ୍ଷ, ପ୍ରତିମୂର୍ତ୍ତି, ଯଜ୍ଞ ମଣ୍ଡପ ସମେତ ପ୍ରତିଟି ସ୍ଥାନକୁ ମଧ୍ୟ ସୁସଜ୍ଜିତ କରିଛନ୍ତି l ଜଲେଶପେଟା ଆଶ୍ରମରେ ବହୁ ସାଧୁ ସନ୍ଥଙ୍କ ସମାଗମ ହେବା ସହ ସ୍ବାମିଜୀଙ୍କ ଅନୁଗାମୀ ମଧ୍ୟ ଜନ୍ମାଷ୍ଟମୀ ଓ ବଳିଦାନ ଦିବସରେ ସାମିଲ ହେବେ। ପଞ୍ଚାୟତିରାଜ, ଗ୍ରାମୀଣ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାଏକ, ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେବେ। ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ତୁମୁଡ଼ିବନ୍ଧ ଜଲେଶପେଟା ଆଶ୍ରମରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।