ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ନୂଆଦିଲ୍ଲୀ, ୧।୫(ପି.ଟି.): ଦେଶରେ ଗତ କିଛିଦିନ ହେଲା ପ୍ରତ୍ୟହ ୩ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକଙ୍କ ଜୀବନ ନେଉଛି କରୋନା ମହାମାରୀ। ସଂକ୍ରମଣରୁ ରକ୍ଷା ପାଇବା ଲାଗି ଟିକାକରଣକୁ ବ୍ୟାପକ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ସେଥିପାଇଁ କୋଭିଡ୍‌ ଟିକାକରଣର ତୃତୀୟ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଦୁଇଦିନରେ ୨.୪୫ କୋଟିରୁ ଊର୍ଦ୍ଧ୍ୱ ଟିକା ନେବା ପାଇଁ ନାମ ପଞ୍ଜୀକରଣ କରିସାରିଲେଣି। ହେଲେ ଅଧିକାଂଶ ରାଜ୍ୟ ହାତରେ ଟିକା ନ ଥିବାରୁ ସେମାନେ ଶନିବାର ତୃତୀୟ ଟିକାକରଣ ଆରମ୍ଭ କରିବା ନେଇ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଭାଜପା ଶାସିତ ମଧ୍ୟପ୍ରଦେଶ, କର୍ନାଟକ ଓ ଗୋଆ ମଧ୍ୟ ଅନ୍ତର୍ଭୁକ୍ତ।
ଅନ୍ୟପକ୍ଷେ ରାଜ୍ୟଗୁଡ଼ିକ ନିକଟରେ ୧ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ମହଜୁଦ୍‌ ଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା। ଆଗାମୀ କିଛି ଦିନ ମଧ୍ୟରେ ଆଉ ୨୦ ଲକ୍ଷ ଟିକା ରାଜ୍ୟଗୁଡ଼ିକ ପାଇବେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକୁ ୧୬.୧୬ କୋଟି ଡୋଜ୍‌ ଟିକା ମାଗଣାରେ ଯୋଗାଇ ଦେଇଛନ୍ତି। ସେଥିରୁ ଅପଚୟକୁ ମିଶାଇ ୧୫,୧୦,୭୭,୯୩୩ କୋଟି ଡୋଜ୍‌ ବ୍ୟବହୃତ ହୋଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ମାସକୁ ୬ରୁ ୭ କୋଟି ଟିକା ପ୍ରସ୍ତୁତ କରୁଥିବାବେଳେ ଭାରତ ବାୟୋଟେକ୍‌ର ମାସିକ ଉତ୍ପାଦନ କ୍ଷମତା ପାଖାପାଖି ୨ କୋଟି ରହିଛି।

Share