ଆଜି ତୃତୀୟ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର,୨୦ା୨ (ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ନିଜ ନିଜ ବୁଥ୍‌ରେ ପହଞ୍ଚି ଯାଇଛନ୍ତି। ଏହି ପର୍ଯ୍ୟାୟରେ ୨୯ ଜିଲା ୬୩ ବ୍ଲକର ୧୭୧ ଜିଲା ପରିଷଦ ଜୋନର ୧୩୮୨ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ। ୧୮,୪୯୫ଟି ବୁଥ୍‌ରେ ୫୬.୫୩ ଲକ୍ଷ ଜଣ ଭୋଟ ଦେବେ। ସେଥିମଧ୍ୟରୁ ୨୭୭୩ ସମ୍ବେଦନଶୀଳ ବୁଥ୍‌ ରହିଛି। ସେହି ବୁଥ୍‌ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୭୧ ଜିଲା ପରିଷଦ ଜୋନରେ ୬୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିବ।

ନିର୍ବାଚନରେ ହେଉଥିବା ଗଣ୍ଡଗୋଳକୁ ଦେଖି ଆଇନଶୃଙ୍ଖଳା କଡ଼ାକଡ଼ି କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହିଂସାକୁ ଦେଖି ଏହି ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ତତ୍ପରତା ପ୍ରକାଶ ପାଇଛି। ମୋଟ ୩୭,୨୪୫ ପୋଲିସ କର୍ମଚାରୀ ନିର୍ବାଚନ ଦାୟିତ୍ୱ ପରିଚାଳନା କରୁଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୧୬ରୁ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ଯାଏ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମୋଟ ୬,୭୯୪ ପଞ୍ଚାୟତରେ ଥିବା ୯୧,୯୧୩ ଓ୍ବାର୍ଡରେ ଭୋଟଗ୍ରହଣ କରାଯିବ। ମୋଟ ୯୧,୯୧୩ଟି ବୁଥ୍‌ରେ ମତଦାନ ହେବ। ସେଥିରୁ ୧୩,୭୮୫ ଉତ୍ତେଜନାପ୍ରବଣ ବୁଥ୍‌ ରହିଛି। ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି। ଭୋଟ ଗଣତିର ରେକର୍ଡିଂ ମଧ୍ୟ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share