Categories: ଜାତୀୟ

ଆଜି ବିମୁଦ୍ରୀକରଣ ରାୟ

ନୂଆଦିଲ୍ଲୀ,୨।୧(ପି.ଟି.): ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ୫୮ଟି ପିଟିଶନ ଉପରେ ସୋମବାର ରାୟ ଘୋଷଣା କରାଯିବ। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଚଳିତ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। ଏହାର ବୈଧତାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା।

ଶୀତ ଛୁଟି ପରେ ସୋମବାର କୋର୍ଟ ଖୋଲୁଥିବାବେଳେ ଜଷ୍ଟିସ ଏସ୍‌.ଏ. ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ରାୟ ଶୁଣାଇବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ଉକ୍ତ ମାମଲା ଉପରେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ବି.ଭି. ନାଗରତ୍ନା ଦୁଇଟି ଅଲଗା ରାୟ ଘୋଷଣା କରିବେ। ତେବେ ଉଭୟ ରାୟ ସମାନ ହେବ କି ଅସହମତି ରହିବ ତାହା ଜଣାପଡ଼ି ନାହିଁ। ଜଷ୍ଟିସ୍‌ ନାଜିର, ଗଭାଇ, ନାଗରତ୍ନାଙ୍କ ବ୍ୟତୀତ ସାମ୍ବିଧାନିକ ପୀଠରେ ଜଷ୍ଟିସ ଏ.ଏସ୍‌. ବୋପନ୍ନା ଏବଂ ଭି. ରାମସୁବ୍ରମଣ୍ୟନ୍‌ ରହିଛନ୍ତି। ସରକାରଙ୍କ ୨୦୧୬ ନିଷ୍ପତ୍ତି ଉପରେ ଆନୁଷଙ୍ଗିକ ରେକର୍ଡ ଦାଖଲ କରିବା ଲାଗି ଗତ ମାସ ୭ ତାରିଖରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ। ଅଦାଲତ ଆର୍‌ବିଆଇ ପକ୍ଷରୁ ଓକିଲ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀ ଏବଂ ପିଟିଶନରମାନଙ୍କ ଓକିଲଙ୍କ ଯୁକ୍ତି ଶୁଣିଥିଲେ।

 

Share