ଆଜି ଭାଲେଣ୍ଟାଇନ୍ସ ଡେ: ରାଜଧାନୀରେ ୩୦୦ ବାହାଘର

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ପ୍ରେମର ପରିଭାଷାକୁ ପରିପ୍ରକାଶ କରିବା ପାଇଁ ପାଳନ ହେଉଛି ଭାଲେଣ୍ଟାଇନ୍ସ ଡେ। ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। ରବିବାର ଏହାକୁ ସ୍ବତନ୍ତ୍ରଭାବେ ପାଳନ କରିବା ପାଇଁ ପ୍ରେମୀଯୁଗଳ ପୁରା ପ୍ରସ୍ତୁତ। ରାଜଧାନୀରେ ପ୍ରେମୀଯୁଗଳଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ରହିଥିବା ଦେଖିବାକୁ ମିଳିଛି। ପ୍ରେମ ସପ୍ତାହକୁ ପାଳନ କରି ଅନେକ ଅଭୁଲା ଓ ସ୍ମରଣୀୟ ମୁହୂର୍ତ୍ତ ସାଉଁଟିଥିବା ପ୍ରେମୀଯୁଗଳ ଭାଲେଣ୍ଟାଇନ୍ସ ଡେକୁ କିପରି ପାଳନ କରିବେ ସେଥିପାଇଁ ପ୍ରସ୍ତୁତି କରିଦେଇଛନ୍ତି। କିଏ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାକୁ ପ୍ଲାନ୍‌ କରିଛି ତ’ ଆଉ କେତେଜଣ ସର୍‌ପ୍ରାଇଜ ଡେଟ୍‌ ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେବେ ପୂର୍ବରୁ ପ୍ରେମୀଯୁଗଳ ପାର୍କ, ସିନେମା ହଲ୍‌, ରେଷ୍ଟୁରାଣ୍ଟରେ ଭାଲେଣ୍ଟାଇନ୍ସ ଡେ ପାଳନ କରୁଥିଲେ। କିନ୍ତୁ ଏବେ ଆଉ ସେମିତି ହେଉନାହିଁ। କେତେକ ସଙ୍ଗଠନର ବିରୋଧ ଯୋଗୁ ପ୍ରେମୀଯୁଗଳମାନେ ସହରର ବହୁ ଦୂରକୁ ଚାଲିଯାଉଛନ୍ତି। ଅସାମାଜିକ ତଥା ପରିବାର ଲୋକଙ୍କ ନଜରୁ ହଟିବା ପାଇଁ ଦୂରକୁ ଯାଇ ନିରୋଳାସ୍ଥାନରେ ଏହି ଦିବସକୁ ପାଳନ କରୁଛନ୍ତି। ସହର ଉପକଣ୍ଠରେ ଥିବା ପିକ୍‌ନିକ୍‌ ସ୍ପଟ୍‌, ପର୍ଯ୍ୟଟନ ସ୍ଥଳୀ, ସମୁଦ୍ରକୂଳ ଭଳି ସ୍ଥାନରେ ସମୟ ଅତିବାହିତ କରୁଛନ୍ତି। ଗତ ବର୍ଷ ଭାଲେଣ୍ଟାଇନ୍ସ ଦିବସକୁ ପୁଲ୍‌ଓ୍ବାମାରେ ଶହୀଦ ଯବାନଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇ ଯୁବପିଢ଼ିଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା।

ଡେ ପୂର୍ବରୁ ଏକ ସପ୍ତାହ ବ୍ୟାପୀ ବିଭିନ୍ନ ଦିବସ ଭାବେ ପାଳନ କରାଯାଏ। ଯଦିଓ ସେହି ସପ୍ତାହରେ ରୋଜ୍‌ ଡେ ପାଳନ ହୋଇଥାଏ, ତଥାପି ଭାଲେଣ୍ଟାଇନ୍ସ ଡେ ରେ ଗୋଲାପ ଫୁଲର ସେହିଭଳି ଡିମାଣ୍ଡ ରହିଥାଏ। ରବିବାର ଭାଲେଣ୍ଟାଇନ୍ସ ଡେ ଥିବାରୁ ଶନିବାରଠାରୁ ଫୁଲ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ଚଢ଼ା ଦରରେ ବିକ୍ରି କରିଛନ୍ତି। ଗୋଟେ ଗୋଲାପର ଦାମ୍‌ ୨୦ରୁ ଆରମ୍ଭ ହୋଇ ୫୦ଟଙ୍କା ପର୍ଯ୍ୟନ୍ତ ରହିଛି।

ଡେକୁ କେବଳ ପ୍ରେମୀଯୁଗଳ ପାଳନ କରନ୍ତି, ତାହା ନୁହେଁ। ଅନେକ ସଂସ୍ଥା ଏହି ଦିବସକୁ ଭିନ୍ନ ଉପାୟରେ ପାଳନ କରିଥାନ୍ତି। ଆଉ ଏପରି ପାଳନ କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଦିଅନ୍ତି। କିଛି ସଂସ୍ଥା ଜରାଶ୍ରମ ଯାଇଥିବା ବେଳେ ଆଉ କିଛି ସଂସ୍ଥା ଅନାଥାଶ୍ରମ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କ ସହ ସମୟ ବିତାଇଥାନ୍ତି। ବିଶେଷ କରି ରାଜଧାନୀ ଭୁବନେଶ୍ୱର, କଟକରେ ଏଭଳି ପ୍ରେମ ଦିବସ ପାଳନ ହେଉଥିବା ଦୀର୍ଘବର୍ଷ ହେବ ନଜରକୁ ଆସିଛି। ସେହିପରି ଆଉ କେହି କିଡ୍‌ନୀ, ଆଖି, ଶରୀର ଦାନ ଭଳି ମହତ କାର୍ଯ୍ୟ କରି ପ୍ରେମ ଦିବସକୁ ସାର୍ଥକ କରିଥାନ୍ତି।

Share