ଆଜି ବିଶ୍ୱବିନ୍ଧାଣୀଙ୍କ ପୂଜା, ପାରାଦୀପରେ ଆକର୍ଷଣୀୟ ମଣ୍ଡପ

ପାରାଦୀପ,୧୬ା୯(ଶରତ ରାଉତ): ପାରାଦୀପର ଅନ୍ୟତମ ଗଣପର୍ବ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାରଠାରୁ ଆରମ୍ଭ ହୋଇଛି। ପାରାଦୀପ ବଡ଼ପଡ଼ିଆ ଥାନାଛକଠାରୁ ବ୍ୟାଙ୍କ ଛକ ଓ ନୂଆବଜାର ହୋଟେଲ ଛକ ପର୍ଯ୍ୟନ୍ତ ସୁଉଚ୍ଚ ଓ ଆକର୍ଷଣୀୟ ୧୪ ମେଢ଼ ହୋଇଛି। ଚଳିତବର୍ଷ ସବୁ ଆୟୋଜକ ମଣ୍ଡପ କରିଛନ୍ତି। ଗତ ୪ ବର୍ଷ ହେଲା ପୂଜା ଆୟୋଜନ ଅଧା ହେଉଥିଲା।୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ୩ ବର୍ଷ କରୋନା କଟକଣା ଯୋଗୁ ବନ୍ଦ ଥିଲା। ଗତବର୍ଷ ଅର୍ଦ୍ଧାଧିକ ଆୟୋଜକ ମଣ୍ଡପ କରି ନ ଥିଲେ। ମାତ୍ର ୫ଟି ବଡ଼ ମଣ୍ଡପ ହୋଇଥିଲା। ଚଳିତବର୍ଷ, ଜଗତସିଂହପୁର ଜିଲା ଟ୍ରକ୍‌ ମାଲିକସଂଘ, ପାରାଦୀପ ଟ୍ରକ ମାଲିକସଂଘ, ଜଗନ୍ନାଥ ଟ୍ରକ ମାଲିକସଂଘ, ଡମ୍ପର ମାଲିକସଂଘ, ବୋଟ୍‌ ମାଲିକସଂଘ (ଓମ୍ଫା),ପାରାଦୀପ ବନ୍ଦର ବିଦ୍ୟୁତ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ମେରାଇନ ବିଭାଗ, ଉତ୍କଳ ପୋର୍ଟ ଆଣ୍ଡ ଡକ ମଜଦୁର ୟୁନିୟନ, ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ, ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକସଂଘ, ଭାରତୀୟ ମଜଦୁର ସଂଘ, ଆଦି ସଂଗଠନ ବଡ଼ ମଣ୍ଡପ କରିଛନ୍ତି। ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୪୦ ଲକ୍ଷ ଟଙ୍କା ବ୍ୟୟରେ ମଣ୍ଡପ କରାଯାଇଛି।ସବୁଠାରୁ ବଡ଼ ମଣ୍ଡପ ଜିଲା ଟ୍ରକ ମାଲିକସଂଘ ପକ୍ଷରୁ କରାଯାଇଛି।ମଣ୍ଡପ ବ୍ୟୟ ବାଦ ମୂର୍ତ୍ତି, ସାଜସଜ୍ଜା, ପୂଜା, ଭୋଗ, ଭସାଣୀ ଓ ଭୋଜି ପାଇଁ ଅଲଗା ବଜେଟ କରାଯାଇଛି। ପ୍ରାୟ ମଣ୍ଡପ ଚଳିତ ଥର ଆକର୍ଷଣୀୟ କରିବା ପାଇଁ ହାତ ଖୋଲା ଖର୍ଚ୍ଚ କରୁଛନ୍ତି। କାରଣ ଆକର୍ଷଣୀୟ, ଆଲୋକୀକରଣ, ମୂର୍ତ୍ତି, ବାହ୍ୟ ଓ ଆଭ୍ୟନ୍ତରୀଣ ସାଜସଜ୍ଜା ଆଦି ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଛି। ପାରାଦୀପ ପୌରପାଳିକା, ଜିଲା ପ୍ରଶାସନ, ପୋଲିସ, ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି। ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନ ୪ଟା ପରଠାରୁ ରାତି ୧୧ ଟା ପର୍ଯ୍ୟନ୍ତ ପୂଜା ମଣ୍ଡପ ଅଞ୍ଚଳରେ ଗାଡ଼ି ଚଳାଚଳ କଟକଣା କରାଯାଇଛି। ଶନିବାର ଓ ରବିବାର ବର୍ଷା ପବନ ଯୋଗୁ କିଛି ମାତ୍ରାରେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କିନ୍ତୁ ସୋମବାର ମଧ୍ୟାହ୍ନ ସୁଦ୍ଧା ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ଜଣେ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା କହିଛନ୍ତି।