ଆଜି ବିଶ୍ୱ ଛେନାପୋଡ଼ ଦିବସ

ନୟାଗଡ଼ ଅଫିସ, ୧୧ା୪: ଏପ୍ରିଲ ୧୧ ଅର୍ଥାତ୍‌ ମଙ୍ଗଳବାରକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଭଳିସ୍ଥଳେ ଏପ୍ରିଲ ୧୧ ପୂର୍ବାହ୍ନ ୧୧ଟାରେ ଜିଲାର ସବୁ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ କାଟି ଉତ୍ସବ ପାଳନ କରିବାକୁୁ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାର ଫଟୋ ଉତ୍ତୋଳନ କରି ଟିମ୍‌ ନୟାଗଡ଼ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ପୋଷ୍ଟ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ଛେନାପୋଡ଼ ପ୍ରସ୍ତୁତକର୍ତ୍ତା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧ରେ ଏହି ଉତ୍ସବ ପାଳନ କରାଯିବ। ଏନେଇ ଜିଲାପାଳଙ୍କ ଅଫିସ ପକ୍ଷରୁ ଏସ୍‌ପି, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଜିଲାସ୍ତରୀୟ ଲାଇନ୍‌ ବିଭାଗର ଅଧିକାରୀ, ତହସିଲଦାର ଓ ବିଡିଓ, ଏନ୍‌ଏସି ଓ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ସିଡିପିଓ, ଡିଏଫ୍‌ଓ, ଜିଲା ଶିକ୍ଷା ବିଭାଗ ପରି ବିଭାଗୀୟ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳନ କରିବାକୁ ଚିଠି କରାଯାଇଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ସୂଚନା ଭବନରେ ବି ଏହି ଦିବସ ପାଳନ ହେବ ବୋଲି ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଶା ମିଡିଆ ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି।

Share