ଆଜି ନବୀନ ହେବେ ଦ୍ୱିତୀୟ ସର୍ବାଧିକ ସମୟ କ୍ଷମତାସୀନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୭(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜନୈତିକ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛନ୍ତି। ଆସନ୍ତା ୨୩ ତାରିଖରେ ଦେଶର ଦ୍ୱିତୀୟ ସର୍ବାଧିକ ସମୟ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ହେବାର ସେ ଗୌରବ ଅର୍ଜନ କରିବେ। ଦେଶର ସର୍ବାଧିକ ସମୟ କ୍ଷମତାରେ ରହିବା ରେକର୍ଡ ସିକିମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମ୍ବଲିଂଙ୍କ ନାମରେ ରହିଛି। ସେ ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ଭାବେ ରହିଥିଲେ। ସେହିପରି ଦ୍ୱିତୀୟ ସର୍ବାଧିକ ଶାସନ ରେକର୍ଡ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜ୍ୟୋତି ବସୁଙ୍କ ନାମରେ ରହିଥିଲା। ସେ ପଶ୍ଚିମବଙ୍ଗରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ତେବେ ନବୀନ ଶନିବାର ଜ୍ୟୋତି ବସୁଙ୍କ ସମକକ୍ଷ ହୋଇ ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରୂପେ ନୂଆ ରେକର୍ଡର ଅଧିକାରୀ ହେବେ। ନବୀନ ମଧ୍ୟ ୨୦୨୩ ଜୁଲାଇ ୨୨ ତାରିଖରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରୁଛନ୍ତି । ନବୀନ ୨୦୦୦ରୁ ଲଗାତର(୨୦୦୪,୨୦୦୯,୨୦୧୪ ଓ ୨୦୧୯) ୫ମ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ କ୍ରମାଗତ ଭାବେ ଗଞ୍ଜାମ ଜିଲାର ହିଞ୍ଜିଳି ବିଧାନସଭା ନିର୍ବାଚନରୁ ବିଜୟୀ ହୋଇ ଆସୁଛନ୍ତି। ଓଡ଼ିଶାବାସୀ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଆଜି ସେ ଏହି ଗୌରବ ଅର୍ଜନ କରିଛନ୍ତି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

Share