ସୋନପୁର,୨୦।୯(ମୃତ୍ୟୁଞ୍ଜୟ ଶତପଥୀ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ଭାବରେ ନୂଆଁଖାଇର ଏକ ସ୍ବତନ୍ତ୍ରତା ରହିଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୁରପଲ୍ଲୀରେ ଏହା ପାଳିତ ହୁଏ । ଚାଷ ଜମିରୁ ଉତ୍ପାଦିତ ନୂଆ ଶସ୍ୟ କୌଣସି ଜୀବ, ଜନ୍ତୁଙ୍କ ଉଦରକୁ ଯିବା ପୂର୍ବରୁ ପ୍ରଥମେ ନିଜ ଇଷ୍ଟ ଦେବତାଙ୍କ ନିକଟରେ ଅର୍ପଣ କରାଯାଇଥାଏ । ଭୋଗ ଲାଗି ହେବା ପରେ ସେହି ନୂଆ ଚାଉଳକୁ ଅନ୍ୟମାନେ ଗ୍ରହଣ କରିଥାନ୍ତି । ଶ୍ରାବଣ ପୂର୍ଣ୍ଣିମାରେ ଚାଷ କାର୍ଯ୍ୟ ସରି ଆସୁଥିବା ବେଳେ ଭାଦ୍ରବ ମାସରେ କେତେକ ଧାନ(ବିଶେଷକରି ସରିଆ ଧାନ) ପୂର୍ଣ୍ଣଗର୍ଭ ହୋଇ ପାକଳ ହୋଇ ଯାଇଥାଏ ।
ଏହି ଧାନ କେଣ୍ଡାକୁ ଦେଖି ଚାଷୀ ଆତ୍ମବିଭୋର ହୋଇ ଦେବତାଙ୍କୁ ଅର୍ପଣ କରେ। କେବଳ ଧାନ ନୁହେଁ, ବର୍ଷର ପ୍ରଥମ ଅମଳ ହୋଇଥିବା ବିଭିନ୍ନ ଫଳ, ପନିପରିବା ଆଦି ଦେବତାଙ୍କ ନିକଟରେ ପୂଜାଭେଟି ଦେବାର ବିଧି ରହିଛି । ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ଏହା ପଛରେ ଏକ ପବିତ୍ର ଓ ଆଦର୍ଶ ପରମ୍ପରା ରହି ଆସିଛି । ପରିବାରର ସମସ୍ତ ସଦସ୍ୟ ପୂର୍ବ ମନାନ୍ତର ଭୁଲି ଏହି ଦିନ ଏକାଠି ହୋଇ ଭୋଜନ କରିବା ବିଧି ରହିଛି । ଏହି ଗଣପର୍ବ ସହିତ ସବୁ ବର୍ଗର ଲୋକଙ୍କର ଆବେଗିକ ସମ୍ପର୍କ ରହିଛି। ସୌହାର୍ଦ୍ଦ୍ୟ ଓ ଏକତା ଉପରେ ଏହା ପର୍ଯ୍ୟବସିତ । ବୟସ୍କ ତଥା ଗୁରୁଜନମାନଙ୍କୁ ସାନମାନେ ସମ୍ମାନ ଜଣାଇ ପ୍ରଣାମ କରନ୍ତି ।
ଯାହାକୁ ନୂଆଁଖାଇ ଭେଟଘାଟ କୁହାଯାଏ । କେବଳ ସେତିକି ନୁହେଁ ଧୋବା, ଭଣ୍ଡାରୀ, ଶ୍ରମିକ ଓ ଡ୍ରାଇଭରଙ୍କ ଘରକୁ ନୂଆଁଖାଇ ଅଢିଆ ବାବଦରେ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ଚିନି, ନଡିଆ ଓ ପରିବା ଆଦି ଦେବା ବିଧି ରହିଛି ।
କୁଟୁମ୍ବକମ୍ର ବାର୍ତ୍ତାକୁ ନୂଆଁଖାଇ ସାକାର କରିଥାଏ । ଭକ୍ତି, ଆଦର୍ଶ ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରୁଥିବା ଏହି ଗଣପର୍ବର ଐତିହ୍ୟ ଓ ସଂସ୍କୃତି ସୁବର୍ଣ୍ଣପୁର ଜିଲାରେ ଅତି ପ୍ରାଚୀନ ।
ଅତୀତରେ ସୋନପୁର ରାଜ୍ୟ ଅଧୁନା ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ପଞ୍ଚରା ଅଞ୍ଚଳର ଅଧିବାସୀମାନେ ଚୌହାନ ବଂଶର ପ୍ରଥମ ରାଜା ମଦନଗୋପାଳ ଦେବଙ୍କ ରାଜତ୍ୱକାଳ ୧୬୪୦ ଖ୍ରୀଷ୍ଟାବ୍ଦରୁ ଏହି ପବିତ୍ର ନୂଆଁଖାଇ ପର୍ବ ପାଳନ କରି ଆସୁଥିବା ଇତିହାସରୁ ଜଣାପଡେ । ଏହି ପବିତ୍ର ପର୍ବ ପାଳନ ପାଇଁ ଜନ୍ମାଷ୍ଟମୀର ପରଦିନ ଅର୍ଥାତ ନନ୍ଦୋତ୍ସବରେ ବିଶିଷ୍ଟ ପଣ୍ଡିତ ଓ ଜ୍ୟୋତିଷୀମାନଙ୍କୁ ନେଇ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ ।
ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ରାଶି ଓ ନକ୍ଷତ୍ରକୁ ନେଇ ପଣ୍ଡିତମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ସ୍ଥିର କରନ୍ତି । ଅଞ୍ଚଳବାସୀ ନିଜ ନିଜର ଗୃହ ଦେବତା ଓ ପିତୃପୁରୁଷଙ୍କୁ ନବାହ୍ନ ଭୋଗ ଅର୍ପଣ କରି ନିଜେ ନବାନ୍ନ ଭକ୍ଷଣ କରନ୍ତି । ନୂଆଁଖାଇ ପାଇଁ ସହରଠୁ ଗ୍ରାମାଞ୍ଚଳ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳୁଛି ।