Categories: ରାଜ୍ୟ

୬୬ ବର୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ମାନ୍ୟବର ରାଷ୍ଟ୍ରପତି ମୁର୍ମୁ ସେବା ଏବଂ ସମର୍ପଣ ଭାବରେ ଦେଶକୁ ପ୍ରେରଣା ଦେଇ ଚାଲିଛନ୍ତି।

୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ଜିଲା ଉପରବେଡ଼ା ଗ୍ରାମର ଏକ ସାନ୍ତାଳୀ ପରିବାରରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ। ସେ ଉପରବେଡ଼ା ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ଅଧିକ ପଢ଼ିବା ଲାଗି ଭୁବନେଶ୍ୱର ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ। ଏହାଛଡ଼ା ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ଶିକ୍ଷାଗ୍ରହଣ କରିଥିଲେ ।

ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଆପଣଙ୍କ ସହଜ, ସରଳ ସ୍ବଭାବ, ସେବାକୁ ନେଇ ବିଶ୍ୱାସ, ଜନକଲ୍ୟାଣ ପ୍ରତି ଆପଣଙ୍କ ସମର୍ପଣ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ମହାପ୍ରଭୁ ଶ୍ରୀଜଗନ୍ନାଇ ଏବଂ ମା’ ସମଲେଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନର କାମନା କରୁଛି ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି।

Share