ପୁରୀ ଅଫିସ,୬।୮: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶନିବାର ଅନୁଷ୍ଠିତ ହେବ। ପ୍ରଥମେ ମେ ୨୧ ଓ ଜୁନ୍ ୭ ତାରିଖର ପରିଚାଳନା କମିଟି ବୈଠକର ବିବରଣୀ ଦୃଢ଼ୀକରଣ ହେବ। ପୂର୍ବ ପରିଚାଳନା କମିଟିର ବିବରଣୀକୁ ଅନୁପାଳନ କରିବା ଦିଗରେ ଆଲୋଚନା କରାଯିବ। ସ୍ନାନଯାତ୍ରା ଓ ରଥଯାତ୍ରା ପରିଚାଳନାର ସମୀକ୍ଷା କରାଯିବ। ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ପାଇଁ ପୂର୍ବ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସୋସାଇଟି ଗଠନ କାର୍ଯ୍ୟ କେତେ ବାଟ ଆଗେଇଛି ସେ ନେଇ ବିସ୍ତୃତ ଭାବେ ଆଲୋଚନା ହେବ। ଅନ୍ୟପକ୍ଷରେ ସେବାୟତ ଆବାସ ଯୋଜନା ପାଇଁ ହରଚଣ୍ଡୀ ସାହି ଓ ମାଟିମଣ୍ଡପ ସାହିରେ ସ୍ଥାନ ଚିହ୍ନଟ ହୋଇଥିଲା। ନିକଟ ଅତୀତରେ ଏନେଇ ପରିଚାଳନା କମିଟି ସଦସ୍ୟ ସ୍ଥିତି ସମୀକ୍ଷା କରିଛନ୍ତି। ୬ଶହ ବର୍ଗ ଫୁଟ୍ର ଗୋଟିଏ ଗୋଟିଏ ଫ୍ଲାଟ୍ କରି ଗରିବ ସେବାୟତଙ୍କୁ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବୈଠକରେ ଚୂଡ଼ାନ୍ତ ମୋହର ବାଜିବ। ସେହିପରି ଅନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ନିଷ୍ପତ୍ତି ହେବ।