ଆଜିଠୁ ଯୋରନ୍ଦା ମେଳା, ୨୦ହଜାର ସାଧୁସନ୍ଥ-ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ,୨୨ା୨(ରତନ ନାୟାର) ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ମାଘମେଳା ୨୨ ତାରିଖ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୪ ତାରିଖ ଯାଏ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ୍‌ଙ୍କ ସମାଗମରେ ମହିମାଗାଦି ଯୋରନ୍ଦା ଚଳଚଞ୍ଚଳ ହୋଇଉଠିଛି।
ମାଘମେଳାର ପ୍ରଥମ ଦିନ ଗୁରୁବାର ସନ୍ଧ୍ୟା ୫ଟା ୫ରେ ବିଶ୍ୱ କଲ୍ୟାଣ ପାଇଁ ଘୃତାହୂତି କରାଯାଇ ଗାଦି ମନ୍ଦିରରେ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରି ବିଶ୍ୱ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିବେ। ଏଥିପାଇଁ ଭୋର ସମୟରୁ ହିଁ ନୀତିକାନ୍ତି ଆରମ୍ଭ ହେବ। ମାନସିକଧାରୀମାନେ ଶିଶୁଙ୍କୁ ମୁଣ୍ଡନ କରି ମହିମା ସନ୍ନ୍ୟାସୀଙ୍କ ଆଶୀର୍ବାଦ ନେବେ। ଚଳିତବର୍ଷ ଓଡ଼ିଶା ସମେତ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ସାଧୁସନ୍ନ୍ୟାସୀ ଓ ଶ୍ରଦ୍ଧାଳୁମାନଙ୍କ ଆଗମନ ହେଲାଣି। ସେହିପରି ଚଳିତବର୍ଷ ପ୍ରଥମ କରି ଜିଲା ପ୍ରଶାସନ ପକ୍ଷରୁ ମହିମାଗାଦି ଯୋରନ୍ଦାରେ ଏକ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ମେଳାସ୍ଥଳରେ ବିଭିନ୍ନ କିସମର ଦୋଳି, ଉଠା କୋଦାନ ପଡ଼ିଥିବାବେଳେ ମନୋରଞ୍ଜନ ପାଇଁ ଅପେରା ପାର୍ଟି ପହଞ୍ଚିସାରିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଗାଦି ମନ୍ଦିର ଭିତରେ ଧାଡ଼ିରେ ପ୍ରବେଶ ପାଇଁ ବ୍ୟାରିକେଟ୍‌ ନିର୍ମାଣ କରାଯାଇଛି। ପାନୀୟଜଳ, ଆଲୋକୀକରଣ, ଆଶୁ ଚିକିତ୍ସା, ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା ସହ ଯାତ୍ରୀଙ୍କ ଠାରୁ ଅଧିକ ଭଡ଼ା ଆଦାୟ ନ କରିବା ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇ ଏସ୍‌ପି ମଡକର ସନ୍ଦୀପ ସମ୍ପଦଙ୍କ ନେତୃତ୍ୱରେ ୨ଜଣ ଅତିରିକ୍ତ ଏସ୍‌ପି, ୫ ଡିଏସ୍‌ପି, ୧୩ ଇନ୍ସପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ମିଶାଇ ୫୬ଜଣଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଆଇନଶୃଙ୍ଖଳା ସମ୍ପର୍କରେ ଏସ୍‌ପି କହିଛନ୍ତି, ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଜିଲାପାଳ ମନୋରଞ୍ଜନ ମଲ୍ଲିକ କହିଛନ୍ତି, ମାଘ ମେଳା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ନିକଟବର୍ତ୍ତୀ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି।

Share