ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ଗୃହରେ ଉପସ୍ଥାପନ କରିବେ। ପଞ୍ଚାୟତ ଓ ପୌର ନିର୍ବାଚନ ଯୋଗୁ ଠିକ୍‌ ସମୟରେ ବଜେଟ୍‌ ଅଧିବେଶନ ଆରମ୍ଭ କରିବାରେ ସରକାର ବିଫଳ ହେବାରୁ କାମଚଳା ବଜେଟ୍‌ ଉପସ୍ଥାପନ କରି ପରବର୍ତ୍ତୀ ସମୟରେ ପୂଣ୍ଣାଙ୍ଗ ବଜେଟ୍‌ ବିଧାନସଭାରେ ଗୃହୀତ କରାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡିଛି।
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ପୂଜାରୀ ବୁଧବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍‌କୁ ଗୃହରେ ଉପସ୍ଥାପନ କରିବେ। ଏହାପରେ ଅର୍ଥମନ୍ତ୍ରୀ ପୂଜାରୀ ଅନ୍ୟ ଏକ ମୋସନ ମାଧ୍ୟମରେ ପ୍ରାୟ ୧ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କାର ‘ଭୋଟ୍‌ ଅନ୍‌ ଆକାଉଣ୍ଟ’ ନିମନ୍ତେ ଗୃହର ଅନୁମତି ପାଇଁ ଉପସ୍ଥାନ କରିବେ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆକାରରେ ଗୃହର ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି। କରୋନା କାଳରେ ମଧ୍ୟ ଅର୍ଥମନ୍ତ୍ରୀ ପୂଜାରୀ ପ୍ରାୟ ୧ଲକ୍ଷ ୬ ହଜାର ୪୯୭ କୋଟିର ଲେଖାନୁଦାନ ଆଗତ କରି ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ୍‌ର ଆକାର ପୂର୍ବବର୍ଷ ଗୁଡିକ ତୁଳନାରେ ଅଧିକ ବଡ ହେବାର ସନ୍ଦେଶ ଦେବେ ବୋଲି ଜଣାପଡିଛି। ଗତ ରବିବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଚିଠା ବଜେଟ୍‌କୁ ମଞ୍ଜୁରୀ ମିଳିଥିଲା।

Share