୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ, ୨୪ା୨: ଜଗତ୍‌ସିଂହପୁର ଜିଲାର ନାଉଗାଁ ଓ ଏରସମା ବ୍ଲକ ଅଞ୍ଚଳରେ ଗୁରୁବାର ୫ମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି। ନାଉଗାଁ ବ୍ଲକର ୨ଟି ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ୧୬ଟି ପଞ୍ଚାୟତ ପାଇଁ ୨୬୩ଟି ବୁଥ୍‌ କରାଯାଇଛି। ୭୦,୬୦୪ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିିବେ। ସେହିପରି ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୨୫ଟି ପଞ୍ଚାୟତ ପାଇଁ ୪୬୧ଟି ବୁଥ୍‌ ହୋଇଛି। ଏଥିରେ ୧,୧୭,୫୧୪ ଜଣ ଭୋଟର ଭୋଟ ଦେବେ। ଉଭୟ ବ୍ଲକ ଅଞ୍ଚଳର ୯୪ଟି ଅତିସମ୍ବେଦନଶୀଳ ଓ ୧୪୨ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ମୋଟ ଉପରେ ଉଭୟ ବ୍ଲକ ଅଞ୍ଚଳର ୧୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରୁ ନାଉଗାଁର ୫୬୪ ଓ ଏରସମାର ୧୦୦୧ଜଣ ରହିଛନ୍ତି।

ସୂଚନା ଅନୁଯାୟୀ ନାଉଗାଁ ବ୍ଲକରେ ୬ ଜିଲା ପରିଷଦ, ୫୦ ସମିତି ସଭ୍ୟ, ୬୩ ସରପଞ୍ଚ ଓ ୪୪୫ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ୮୭ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ୭୮୯ ପୋଲିଂ ଅଧିକାରୀ ଓ ୨୬୩ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୫୪ଟି ମହିଳା ବୁଥ୍‌ରେ ୧୬୨ ମହିଳା ପୋଲିଂ ଅଧିକାରୀ ରହିଥିବା ସୂଚନା ଦିଆଯାଇଛି। ସେହିପରି ଏରସମା ବ୍ଲକର ୧୮ ଜିଲା ପରିଷଦ, ୭୯ ସମିତି ସଭ୍ୟ, ୯୫ ସରପଞ୍ଚ ଓ ୮୦୯ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ୫୫ଟି ସମ୍ବେଦନଶୀଳ ଓ ୯୪ଟି ଅତିସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ୧୩୪୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ୭୫ଟି ମହିଳା ବୁଥ୍‌ ନିମନ୍ତେ ୨୨୫ ମହିଳା କର୍ମଚାରୀ ରହିଛନ୍ତି। ଏହି ବ୍ଲକର ଢିଙ୍କିଆ ପଞ୍ଚାୟତର କାର୍ଯ୍ୟକାଳ ୨୦୨୪ରେ ସରୁଥିବାରୁ ସରପଞ୍ଚ ସମେତ ୨୩ଟି ୱାର୍ଡ ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବନାହିଁ। ଦୁଇ ବ୍ଲକରେ ୨୪ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ସେମାନେ ପୋଲିଂ ଦଳଗୁଡିକୁ ସୁରକ୍ଷିତ ଭାବେ ବୁଥ୍‌ରେ ପହଞ୍ଚତ୍ବାଠାରୁ ମତଦାନ ପରେ ରିସିଭିଂ ସେଣ୍ଟରରେ ପହଞ୍ଚାଇବା ଦାୟିତ୍ୱରେ ଅଛନ୍ତି। ବୁଧବାର ପୋଲିଂ କର୍ମଚାରୀମାନେ ନାଉଗାଁ ବ୍ଲକ କଣିପଡ଼ାସ୍ଥିତ ସରକାରୀ ପଲିଟେକ୍‌ନିକ୍‌ ଓ ଏରସମା କୋଠିସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସର ବିତରଣ କେନ୍ଦ୍ର (ଡିସପର୍ସାଲ ସେଣ୍ଟର)ରୁ ନିର୍ବାଚନ ସାମଗ୍ରୀ ଗ୍ରହଣ କରି ବୁଥ୍‌ଗୁଡିକରେ ପହଞ୍ଚତ୍ଛନ୍ତି। ତେବେ ଏହା ଭିତରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟାୱରୀ ନିର୍ବାଚନ କାର୍ଯ୍ୟ ତଦାରଖ କରିଛନ୍ତି । ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ନାଉଗାଁ ଓ ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର ଏରସମା ବ୍ଲକ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ସହ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ. କଳ୍ପନା, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ପ୍ରଜ୍ଞାନନ୍ଦ ଦାସ ପ୍ରମୁଖ ବିତରଣ କେନ୍ଦ୍ରରେ ରହି ନିର୍ବାଚନ କାର୍ଯ୍ୟ ସୁପରିଚାଳନା କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ବିମଳେନ୍ଦୁ ରାୟ ମଧ୍ୟ ଉଭୟ ବିତରଣ କେନ୍ଦ୍ର ପରିଦର୍ଶନ କରି ସେକ୍ଟର ଅଫିସର, ବିଡିଓ, ତହସିଲଦାର, ପୋଲିସ ଅଧିକାରୀମାନଙ୍କୁ ନିର୍ବାଚନ ସୁପରିଚାଳନା ସମ୍ପର୍କରେ ପରାମର୍ଶ ଦେଇଥିଲେ। ପୂର୍ବରୁ ୪ଟି ନିର୍ବାଚନ ସରିଥିବାରୁ ଅନ୍ତିମ ଚରଣରେ ଦଳୀୟ ନେତାମାନେ ଉଭୟ ବ୍ଲକ ଅଞ୍ଚଳରେ ଡେରା ପକାଇଥିବା କୁହାଯାଉଛି। ରାତିତମାମ ବିଭିନ୍ନ ଗଁାରେ ଛକାପଞ୍ଝା ସାଙ୍ଗକୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରିବା ନିଆରା ପରିବେଶ ସୃଷ୍ଟି କରିଛି।

Share