ଆଜି ୨୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

କଟକ ଅଫିସ,୨୪ା୩: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୫୯ ଓ୍ବାର୍ଡରେ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବୁଧବାର ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂ(ବୋଷ) କ୍ୟାମ୍ପସରୁ ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନେ ଇଭିଏମ୍‌ ନେଇ ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଇଥିଲେ। ଚଳିତବର୍ଷ ନିର୍ବାଚନ ପାଇଁ ସିଏମ୍‌ସିର ୫୯ଟି ଓ୍ବାର୍ଡରେ ୪୪୯ ବୁଥ୍‌ କରାଯାଇଛି। ବିଶେଷକରି ଉତ୍ତେଜନା ପ୍ରବଣ ଓ ଅତିଉତ୍ତେଜନା ପ୍ରବଣ ବୁଥରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ସିଏମ୍‌ସିର ୫୯ଟି ଓ୍ବାର୍ଡରେ ୫ଟି ମଡେଲ ଓ ୬ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ମଡେଲ ବୁଥରେ ବୟସ୍କ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ପିଙ୍କ୍‌ ବୁଥ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସିଏମ୍‌ସି ୧ନଂ. ୱାର୍ଡର ୨ନଂ. ବୁଥ୍‌, ୬ନଂ. ୱାର୍ଡର ୩୫ନଂ. ବୁଥ୍‌, ୯ନଂ. ୱାର୍ଡର ୫୩ନଂ. ବୁଥ୍‌, ୪୬ନଂ. ୱାର୍ଡର ୩୪୨ନଂ. ବୁଥ୍‌ ଓ ୪୭ନଂ. ୱାର୍ଡର ୩୪୮ନଂ. ବୁଥକୁ ମଡେଲ୍‌ ବୁଥ୍‌ ଭାବରେ ଘୋଷଣା କରାଯାଇଛି। ସେହିପରି ୧ନଂ. ୱାର୍ଡର ୧ନଂ. ବୁଥ୍‌, ୬ନଂ. ୱାର୍ଡର ୩୪ନଂ. ବୁଥ୍‌, ୯ନଂ. ୱାର୍ଡର ୫୪ନଂ. ବୁଥ୍‌, ୧୬ନଂ. ୱାର୍ଡର ୧୧୨ନଂ. ବୁଥ୍‌, ୪୬ନଂ. ୱାର୍ଡର ୩୪୧ନଂ. ବୁଥ୍‌ ଓ ୪୭ନଂ. ୱାର୍ଡର ୩୫୨ନଂ. ବୁଥ୍‌କୁ ପିଙ୍କ୍‌ ବୁଥ୍‌ ଭାବରେ ଘୋଷଣା କରାଯାଇଛି। ସିଏମ୍‌ସି ଅଞ୍ଚଳର ୪ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟର ୨୫୬ ଜଣ କର୍ପୋରେଟର ଓ ୧୬ ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଅପରପକ୍ଷେ ଆସନ୍ତା ୨୬ରେ ଭୋଟ ଗଣତି ହେବ। ଏଥିପାଇଁ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ ଓ ଡିସିପି ପ୍ରତୀକ୍‌ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୁଧବାର ବୋଷ କ୍ୟାମ୍ପସ ପରିଦର୍ଶନ କରି ଭୋଟ ଗଣତି ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଭୋଟର ବୁଥ୍‌ କ୍ୟାମ୍ପରେ ପ୍ରବେଶ କରିସାରିଥିବେ, ତା’ହେଲେ ସେ ଭୋଟ୍‌ ଦେଇପାରିବେ ବୋଲି ସିଏମ୍‌ସି ଡେପୁଟୀ କମିଶନର ଅଜୟ ମହାନ୍ତି ସୂଚନା ଦେଇଛନ୍ତି।