ଆଜି ମହାପ୍ରଭୁଙ୍କୁ ଲାଗି ହେବ ନୀଳାଚଳ ଅବଢ଼ା

ପୁରୀ,୨।୭(ଅଜିତ୍‌ ମହାନ୍ତି)ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ମହାପ୍ରଭୁଙ୍କ ବିଜେ ପରେ ପୁଣି ଶ୍ରୀମନ୍ଦିର ପୂର୍ଣ୍ଣ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ରବିବାରଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ଏବଂ ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ। ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଶ୍ରୀମନ୍ଦିରରେ ଦର୍ଶନ କରିବେ। ରବିବାର ମହାପ୍ରଭୁଙ୍କ ସକାଳ ଧୂପ ପରେ ଭକ୍ତମାନଙ୍କୁ ନୀଳାଚଳ ଅବଢ଼ା ମିଳିବ। ମହାପ୍ରଭୁ ରଥ ଉପରେ ଥିବାରୁ ମହାପ୍ରଭୁଙ୍କୁ ଶୁଖୁଲତ୍ ଭୋଗ ଲାଗି ହେଉଥିଲା। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ରବିବାର ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ। ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ। ରଥଯାତ୍ରା ପୂର୍ବରୁ ଯେଉଁଭଳି ଭାବେ ଭକ୍ତମାନେ ମହାପ୍ରସାଦ ପାଇଥିଲେ। ଠିକ୍‌ ସେହିଭଳି ଭାବରେ ମହାପ୍ରସାଦ ଶ୍ରୀମନ୍ଦିର ପରିସରରେ ପାଇପାରିବେ। ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥିବା ପ୍ରଥମ ନୀଳାଚଳ ଅବଢାକୁ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଶା ରହିଥାଏ।

Share