ଆଜି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୧୧(ଅସମାପିକା ସାହୁ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚତ୍ଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ମୁର୍ମୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୋଲିସ ଡିଜି ସୁନୀଲ ବଂଶଲ ଓ ବିଏମ୍‌ସି ମେୟର ସୁଲୋଚନା ଦାସ ସ୍ବାଗତ କରିଥିଲେ। ଏଥିସହ ପାରମ୍ପରିକ ନୃତ୍ୟ ଓ ବାଜା ବଜାଇ ଓଡ଼ିଶାବାସୀ ସ୍ବାଗତ କରିଥିଲେ। ପରେ ରାଷ୍ଟ୍ରପତି କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ସିଧା ରାଜଭବନକୁ ଆସି ରାତ୍ରିଯାପନ କରିଥିଲେ। ସୋମବାର ସକାଳ ୮ଟା ୩୦ରେ ରାଜଭବନରୁ ବାହାରି ୮ଟା ୪୦ରେ ସ୍ବତନ୍ତ୍ର ବିମାନରେ ପାରାଦୀପ ଯିବେ। ପାରାଦୀପ ବନ୍ଦରରେ ପୂର୍ବାହ୍ନ ୧୦ଟାରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ, ବିଶ୍ୱେଶ୍ବର ଟୁଡୁ, ଶାନ୍ତନୁ ଠାକୁର, ରାଜ୍ୟ ସରକାରଙ୍କ ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share