ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍‌ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର,୫।୪:ରାଜ୍ୟ ସରକାର ଶୁକ୍ରବାର ଛୋଟ ଧରଣର ଆଇଏଏସ୍‌ ଅଫିସର ଅଦଳବଦଳ କରିଛନ୍ତି। କଟକ ଜିଲାପାଳ ୨୦୧୨ ବ୍ୟାଚ ଆଇଏଏସ୍‌ ଅଫିସର ଭିନିତ ଭରଦ୍ୱାଜଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଜଗତସିଂହପୁର ଜିଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।ର୍ନିବାଚନ କମିଶନଙ୍କ ନିର୍ଦ୍ଦେଶରେ ଭିନିତ ଓ ପାରୁଲଙ୍କୁ ଜିଲାପାଳ ପଦବୀରୁ ହଟାଇ ଦିଆଯାଇଛି। ଭିନିତଙ୍କ ସ୍ଥାନରେ ଆଇଏଏସ୍‌ ଅଫିସର ଅରିନ୍ଦମ ଡାକୁଆ ଓ ପାରୁଲଙ୍କ ସ୍ଥାନରେ ଅଫିସର ଅନୁପମ ଶାହଙ୍କୁ ଯଥାକ୍ରମେ କଟକ ଓ ଜଗତସିଂହପୁର ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ତେବେ ଅନୁପମ ଯେଉଁ ଦାୟିତ୍ୱରେ ଥିଲେ ସେଠାକୁ ପାରୁଲଙ୍କୁ ଓ ଅରିନ୍ଦମଙ୍କ ସ୍ଥାନରେ ଭିନିତଙ୍କୁ ଥଇଥାନ କରାଯାଇଛି।

୨୦୧୧ ବ୍ୟାଚ୍‌ ଆଇଏଏସ୍‌ ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ସେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ସହ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଉଥିଲେ। ଏବେ ତାଙ୍କୁ କେବଳ ପୂର୍ତ୍ତ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ତାଙ୍କୁ ଏପ୍ରିଲ ୩ରେ ଯାଜପୁର ଜିଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୧୨ ବ୍ୟାଚ୍‌ ଆଇଏଏସ୍‌ ନିଖିଳ ପୱନ କଲ୍ୟାଣଙ୍କୁ ଯାଜପୁର ଜିଲାପାଳ ଭାବେ ବଦଳି କରାଯାଇଥିଲା।

Share