ଆଜି ଶ୍ରୀମନ୍ଦିରରେ ସାତପୁରୀ ଭୋଗ ଲାଗି

ପୁରୀ,୧୫ା୯( ଅଜିତ୍‌ ମହାନ୍ତି): ପବିତ୍ର ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବରେ ବିବେଚନା କରାଯାଇଥାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ମାଟିରେ ନିର୍ମିତ ତାଡ଼ ମଧ୍ୟରେ ସାତପୁର ଦିଆ ପିଠା ଭୋଗ ହୋଇଥାଏ। ଶୁକ୍ରବାର ସପ୍ତପୁରୀ ଅମାବାସ୍ୟା (ମଳ) ପଡୁଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଗୁରୁବାର ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ତାଡ଼ ବିଜେ ହୋଇଛି। ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପପରେ ଶ୍ରୀମନ୍ଦିରରୁ ଘଣ୍ଟ ଛତା, କାହାଳି ଅଠରନଳାସ୍ଥିତ ଆଲାମଚଣ୍ଡୀ ମନ୍ଦିରକୁ ଯାଇଥିଲେ। ମା’ଙ୍କ ନିକଟରେ ବିିଶେଷ ନୀତି ସମ୍ପନ୍ନ ହେବାପରେ କୁମ୍ଭାର ବିଶୋଇ ସେବକମାନେ ବାଘମୁହାଁ ବାନ୍ଧି ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରିଥିଲେ। କୁମ୍ଭକାର ବିଶୋଇମାନେ ମୁଣ୍ଡରେ ତାଡ଼ଗୁଡ଼ିକୁ ମୁଣ୍ଡାଇ ଚାଲିଚାଲି ଘଣ୍ଟ, ଓଲାର କାହାଳୀ ସହ ଶ୍ରୀମନ୍ଦିରକୁ ଆସିଥିଲେ। ତାଡ଼ଗୁଡ଼ିକ ଶ୍ରୀମନ୍ଦିର ପରିସରରେ ପହଞ୍ଚତ୍ବା ପରେ ଶ୍ରୀମନ୍ଦିର ଭିତର ବେଢ଼ାରେ ସେଗୁଡ଼ିକୁ ଗୋଟିଏ ଥର ବୁଲାଇ ଏହାକୁ ରୋଷ ବେହେରଣ୍‌ଠାରେ ରଖାଯାଇଥିଲା। ପରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାଧୂପ ବଢ଼ିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଦକ୍ଷିଣକାଳୀଙ୍କ ପୀଠକୁ ଯାଇ ଠାକୁରାଣୀଙ୍କୁ ଅର୍ପଣ କରିଥିଲେ। ଏହାପରେ ଦକ୍ଷିଣକାଳୀଙ୍କ ସେବକମାନେ ଏକ ଆଜ୍ଞାମାଳ ଆଣି ଶ୍ରୀମନ୍ଦିରକୁ ଆସି ରୋଷଦ୍ୱାର ପାଖରେ ରୋଷ ପାଇକଙ୍କୁ ଉକ୍ତ ଆଜ୍ଞାମାଳକୁ ଅର୍ପଣ କରିଥିଲେ। ପରେ ରୋଷ ପାଇକଉକ୍ତ ଆଜ୍ଞାମାଳକୁ ନେଇ ରୋଷଘରେ ବିଜେ କରାଇଥିଲେ। ଏହାପରେ ଶ୍ରୀମନ୍ଦିରରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ବଢିଥିଲା। ଶୁକ୍ରବାର ସାତପୁରୀ ରୋଷରେ ସାତପୁରୀ ପିଠା ପ୍ରସ୍ତୁତ ହେବ। ପିଠାଗୁଡିକୁ ସକାଳଧୂପରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି କରାଯିବ। ଉଲ୍ଲେଖଯୋଗ୍ୟ, ମାଟିରେ ନିର୍ମିତ ସାତପୁରୀ ତାଡ଼ରେ ସାତପୁରୀ ପିଠା ପ୍ରସ୍ତୁତ ହୁଏ। କୁମ୍ଭାର ବିଶୋଇ ସେବକମାନେ ତାଡକୁ ତିଆରି କରିଥାନ୍ତି। ମା’ ଆମାଲଚଣ୍ଡୀ ମନ୍ଦିରରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ଆସିଥାଏ।

Share