ବାହାନଗା ଦୁର୍ଘଟଣା : ଆଜି ହୋଇପାରେ ଦାବିଦାର ନ ଥିବା ମୃତଦେହ ସତ୍କାର

ଭୁବନେଶ୍ୱର,୩୦।୬(ଅଭିଜିତ ଦାସ/ ଅନୁରାଧା ମହାରଣା): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୮୧ ଯାତ୍ରୀଙ୍କ ମୃତଦେହକୁ ଚିହ୍ନଟ ପାଇଁ ଏମ୍‌ସ ପରିସରରେ ସଂରକ୍ଷିତ କରି ରଖାଯାଇଛି। ତେବେ ଏଥିମଧ୍ୟରୁ ଦାବିଦାର ନ ଥିବା ମୃତଦେହଗୁଡିକୁ ସତ୍କାର ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଏଥିପାଇଁ ଭରତପୁର ଓ ସତ୍ୟନଗର ଶ୍ମଶାନରେ ଦାହ ପାଇଁ ପ୍ରସ୍ତୁତି ଚାଲିଥିବା ବିଏମ୍‌ସିର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଶୁକ୍ରବାର ସକାଳ ୯ଟାରେ ଶବଦାହ କରାଯିବା ଲାଗି ସ୍ଥାନୀୟ ଭରତପୁର ଓ ସତ୍ୟନଗର ଶ୍ମଶାନରେ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି। ଏଥିପାଇଁ ପ୍ରଦୀପ ସେବା ଟ୍ରଷ୍ଟ ସହ ବିଏମ୍‌ସି ଅଧିକାରୀ ଆଲୋଚନା କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ପୂର୍ବରୁ ଏମ୍‌ସ କର୍ତ୍ତୃପକ୍ଷ ଏକ ଖବରଦାତା ସମ୍ମିଳନୀରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଯେଉଁ ମୃତଦେହଗୁଡିକର ଦାବିଦାର ନ ଥିବେ ସେଗୁଡିକର ସାମୂହିକ ଦାହ କରାଯିବ ବୋଲି କହିଥିଲେ। ଏମ୍‌ସରେ ୮୧ଟି ମୃତଦେହ ଥିବା ବେଳେ ଏବେ ଶବଦାହକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେବେ ଶୁକ୍ରବାର କିଛି ଶବଦାହ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଭରତପୁର ବିଏମ୍‌ସି ୱାର୍ଡ ୨୨ ଅଧୀନରେ ଆସୁଥିବା ବେଳେ ୱାର୍ଡର କର୍ପୋରେଟର ତଥା ଡେପୁଟି ମେୟର ମଞ୍ଜୁଲତା କହଁର ଶୁକ୍ରବାର ଶବଦାହ କରାଯିବା ନେଇ ପ୍ରସ୍ତୁତି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା, କିନ୍ତୁ ଶବଦାହକୁ ନେଇ କୌଣସି ସୂଚନା ମିଳିପାରିନାହିଁ। ସେହିପରି ଏମ୍‌ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏମ୍‌ସ ପରିସରରେ ଥିବା କଣ୍ଟେନରରେ ଶବ ସ୍ଥାନାନ୍ତରଣ ନେଇ ପ୍ରସ୍ତୁତି କରାଯାଉଛି। ଶବଦାହ ଲାଗି ଏପର୍ଯ୍ୟନ୍ତ କୌଣସି ସୂଚନା କର୍ତ୍ତୃପକ୍ଷଙ୍କ ଦ୍ୱାରା ହସ୍ତଗତ ହୋଇପାରିନାହିଁ।

Share