ଆଜି ସାରା ରାଜ୍ୟରେ ବର୍ଷିବ: ବିଜୁଳି-ଘଡ଼ଘଡ଼ି ଆଶଙ୍କା

ଭୁବନେଶ୍ୱର,୨୧ା୮(ଅନୁରାଧା ମହାରଣା):ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଆସନ୍ତା ସପ୍ତାହେ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ବୁଧବାର ରାଜ୍ୟର ପ୍ରାୟ ୨୪ ଜିଲାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅଧିକାଂଶ ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଦେଇଛି। ସେହିଭଳି କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ିର ଆଶଙ୍କା ରହିଛି। ଏସବୁ ଜିଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢ଼େଙ୍କାନାଳ, କଟକ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ବାଲେଶ୍ୱର, ନୂଆପଡ଼ା, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଜଗତ୍‌ସିଂହପୁର, ଯାଜପୁର, ପୁରୀ, କେନ୍ଦ୍ରାପଡ଼ା ଓ ଭଦ୍ରକ। ଗୁରୁବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି।

Share