ମାଲକାନଗିରିରେ ଆଜି ୧୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି

କୋରୁକୋଣ୍ଡା,୧୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସୋମବାର ମାଲକାନଗିରି ପୌରପରିଷଦ, କୋରୁକୋଣ୍ଡା, କାଲିମେଳା, ଖଇରିପୁଟ ବ୍ଲକ ଏବଂ ବାଲିମେଳା ଏନ୍‌ଏସିରେ ମୋଟ୍‌ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲାପାଳ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଆକ୍ରାନ୍ତ ମାଲକାନଗିରି ପୌରପରିଷଦର ହୋଇଥିବା ବେଳେ ୩ ଆକ୍ରାନ୍ତ ବାଲିମେଳା ଏନ୍‌ଏସିର, ଜଣେ କୋରୁକୋଣ୍ଡା, ୨ କାଲିମେଳା, ଜଣେ ଆକ୍ରାନ୍ତ ଖଇରିପୁଟ ବ୍ଲକର ବୋଲି ଜଣାପଡ଼ିଛି। ତେବେ ଚିହ୍ନଟ ହୋଇଥିବା ସମସ୍ତ ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦର ୭ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଥିବା ସହିତ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ସେହିପରି ବାଲିମେଳା ଏନ୍‌ଏସିର ୩ ଆକ୍ରାନ୍ତ ମଧ୍ୟରୁ ୨ ଆକ୍ରାନ୍ତ ହଟ୍‌ସ୍ପଟ୍‌ ଜିଲାରୁ ଆସିଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା। ତାଙ୍କର ଟ୍ରାଭେଲ ହିଷ୍ଟ୍ରି ନ ଥିବା ଜଣାପଡ଼ିଛି। କୋରୁକୋଣ୍ଡା ବ୍ଲକର ଆକ୍ରାନ୍ତ ଜଣକ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ଖଇରିପୁଟ ବ୍ଲକର ଆକ୍ରାନ୍ତ ଜଣକ ହଟସ୍ପଟ ଜିଲାରୁ ଫେରିଥିବା ଏବଂ କାଲିମେଳା ବ୍ଲକର ୨ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ହୋଇଥିବା ସହ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ଜିଲା ପ୍ରଶାସନ ଟୁଇଟ୍‌ ଯୋଗେ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୮୩ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।