Categories: ଖେଳ

ଆଜି ଦ୍ୱିତୀୟ ଟି୨୦: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ମ୍ୟାଚ୍‌…

ଲକ୍ଷ୍ନୌ,୨୯ା୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ଟି୨୦ ମ୍ୟାଚ ପରାଜିତ ହେବା ପରେ ଦ୍ୱିତୀୟ ଟି୨୦ରେ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ସିରିଜରେ ଜୀବନ୍ତ ରହିବା ପାଇଁ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ଥିବାବେଳେ ରବିବାର ଲକ୍ଷ୍ନୌରେ ଉଭୟ ଦଳ ସାମ୍ନାସାମ୍ନି ହେବେ। ରାଞ୍ଚତ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସ୍ପିନରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ପେସ୍‌ ବୋଲର ଅତ୍ୟଧିକ ରନ୍‌ ବ୍ୟୟ କରିଥିବା ବେଳେ ଏହା ପରାଜୟର ମୁଖ୍ୟ କାରଣ ରହିଥିଲା। ଉମ୍ରାନ୍‌ ମଲିକ୍‌ ଗୋଟିଏ ଓଭରରେ ୧୬ ରନ ବ୍ୟୟ କରିଥିବା ବେଳେ ଅର୍ଶଦୀପ ସିଂ ଇନିଂସର ଅନ୍ତିମ ଓଭରରେ ଦେଇଥିଲେ ୨୭ ରନ। ଭାରତୀୟ ଟପ୍‌ ଅର୍ଡର ଫେଲ୍‌ ମାରିଥିବା ବେଳେ ଦଳ ୧୫ ରନରେ ୩ ଉଇକେଟ ହରାଇଥିଲା। ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଓ ପାଣ୍ଡ୍ୟା ଭଲ ବ୍ୟାଟିଂ କରିଥିବା ବେଳେ ନିମ୍ନକ୍ରମରେ ଓ୍ବାଶିଂଟନ୍‌ ସୁନ୍ଦର ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ତେବେ ଟପ୍‌ ଅର୍ଡରରେ ଇଶାନ କିଶନ ଏବଂ ମିଡିଲ ଅର୍ଡରରେ ଦୀପକ ହୁଦାଙ୍କ ବ୍ୟାଟିଂ ଉପରେ ଭାରତୀୟ ମ୍ୟାନେଜମେଣ୍ଟର ନଜର ରହିବ। ଉଭୟ ଖେଳାଳି ବିଗତ କିଛି ମ୍ୟାଚରେ ବିଫଳ ହୋଇଥିବା ବେଳେ ଉଭୟଙ୍କ ବ୍ୟାଟିଂ ଆଭିମୁଖ୍ୟ ସାମାନ୍ୟ ଧିମା ରହିଛି। ଉଭୟ ଖେଳାଳି ଷ୍ଟ୍ରାଇକ ରୋଟେଟ କରିବାରେ ବିଫଳ ହୋଇଥିବା ବେଳେ ବଡ ଶଟ୍‌ ମଧ୍ୟ ଖେଳିପାରୁନାହାନ୍ତି। ଅନ୍ୟତମ ଓପନର ଭାବରେ ଦଳରେ ଥିବା ଶୁବମନ ଗିଲ୍‌ ମାତ୍ର ୪ ଟି୨୦ ମ୍ୟାଚ ଖେଳିଥିବା ବେଳେ ଫର୍ମକୁ ଦେଖିଲେ ସେ ହିଁ ଦଳରେ ସ୍ଥାନ ପାଇବେ। ମାତ୍ର ବାଂଲାଦେଶ ବିପକ୍ଷ ଦ୍ୱିଶତକ ପରଠାରୁ ଇଶାନଙ୍କ ବ୍ୟାଟ ନୀରବ ରହିଛି। ସେହିପରି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ପରେ ହୁଦା ମଧ୍ୟ ଭଲ ବ୍ୟାଟିଂ କରିନାହାନ୍ତି। ଶୁକ୍ରବାର ହୁଦା ୧୦ ବଲରୁ ୧୦ ରନ୍‌ କରିଥିବା ବେଳେ ସ୍ପିନରଙ୍କ ଆଗରେ ଅସହଜ ମନେ ହୋଇଥିଲେ। ଇଶାନ କିଶନଙ୍କ ସ୍ଥାନରେ ମ୍ୟାନେଜମେଣ୍ଟ ଜିତେଶ ଶର୍ମାଙ୍କୁ ସୁଯୋଗ ଦେଇପାରେ। ଏପରି ହେଲେ ରାହୁଲ ତ୍ରିପାଠୀ କିମ୍ବା ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‌ କରିବେ।

 

ମ୍ୟାଚ ସ୍ଥାନ: ଲକ୍ଷ୍ନୌ
ମ୍ୟାଚ ସମୟ: ସନ୍ଧ୍ୟା ୭.୦୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ

Share