ଆଜିର ଯାତ୍ରା

ଯାତ୍ରାରେ ଅଶ୍ଳୀଳତା ଏବେ ରାଜ୍ୟର ଗଣମାଧ୍ୟମରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି। ଅନେକ ଯାତ୍ରା ମଞ୍ଚରେ ଏହି ନୃତ୍ୟ ଯୋଗୁ ଅସ୍ବାଭାବିକ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ରାଜ୍ୟ ସରକାର ଏହା ଉପରେ ଅଙ୍କୁଶ ଲଗାଇବେ ବୋଲି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ମଧ୍ୟ ଅନୁରୂପ ଆଦେଶ ଦେଇଥିଲେ ବି ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ତେବେ ସରକାରଙ୍କର ଏହି ମନ୍ତବ୍ୟ ରାଜ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। ଏହି ଅଶ୍ଳୀଳ ନୃତ୍ୟ ମୁଖ୍ୟତଃ ଯୁବବର୍ଗଙ୍କୁ ଯାତ୍ରା ପାଇଁ ଆକର୍ଷିତ କରୁଥିବା ଏବଂ ଏହି ନୃତ୍ୟ ମାଧ୍ୟମରେ ସମ୍ପୃକ୍ତ ନୃତ୍ୟଶିଳ୍ପୀମାନେ ଅଜସ୍ର ଅର୍ଥ ରୋଜଗାର କରୁଥିବା ଯୋଗୁ ସେମାନେ ସରକାରଙ୍କର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। କିନ୍ତୁ ପରିବାର ସହ ଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକମାନେ ଏହାକୁ ସ୍ବାଗତ କରିଛନ୍ତି। ଯାତ୍ରା ହେଉଛି ମନୋରଞ୍ଜନର ଏପରି ଏକ ମାଧ୍ୟମ ଯାହା କି ସହରଠାରୁ ମଫସଲ ଯାଏ ସର୍ବତ୍ର ଲୋକପ୍ରିୟ। ଏହାର ସୃଷ୍ଟି ପୁରାଣ ସମୟରୁ ରହିଥିବା ଜଣାଯାଏ। ଯାତ୍ରା ମଞ୍ଚ ଏକ ପବିତ୍ର ସ୍ଥାନ। ପ୍ରତ୍ୟେକ କଳାକାର ମଞ୍ଚ ପ୍ରବେଶ ପୂର୍ବରୁ ତାହାକୁ ପ୍ରଣାମ କରନ୍ତି ।
ପ୍ରତ୍ୟେକ ଯାତ୍ରା ଦଳର ମଧ୍ୟ ମଞ୍ଚ ପୂଜା ବିଧି ରହିଛି। କିନ୍ତୁ ଯଦି ଆମେ ଯାତ୍ରାରେ ଅଶ୍ଳୀଳତା ସମ୍ପର୍କରେ ଆଲୋଚନା କରିବା ତେବେ ଏହାର ଇତିହାସ ଆଦୌ ପୁରୁଣା ନୁହେଁ। ପୂର୍ବରୁ ଯାତ୍ରାରେ ନଗ୍ନତା ଓ ଅଶ୍ଳୀଳତା ଆଦୌ ନଥିଲା। ବରଂ ବଳିଷ୍ଠ କାହାଣୀ ସହ କଳାକାରମାନଙ୍କର ପ୍ରଭାବଶାଳୀ ଅଭିନୟ ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ଏପରିକି ଯାତ୍ରା ଶେଷ ହେବା ପରେ ତାହା ମଧ୍ୟ ଦର୍ଶକଙ୍କ ମଧ୍ୟରେ ଆଲୋଚନାର ଖୋରାକ ହେଉଥିଲା । ଯାତ୍ରାର ହାସ୍ୟ ଦୃଶ୍ୟରେ କଳାକାରମାନଙ୍କର ସଂଳାପ ଉଚ୍ଚାରଣ ଶୈଳୀ ଦର୍ଶକଙ୍କୁ ହସାଇ ପାରୁଥିଲା। କିନ୍ତୁ ସେଭଳି ସଂଳାପ ବା ଅଭିନେତାଙ୍କ ଅଭିନୟ ଚାତୁର୍ଯ୍ୟ ପରିବର୍ତ୍ତେ କିଛି ବର୍ଷ ପୂର୍ବରୁ ଦ୍ବିଅର୍ଥବୋଧକ ଶବ୍ଦ ମାଧ୍ୟମରେ ହାସ୍ୟ ଦୃଶ୍ୟ ରଚନା କରାଗଲା। ସମୟକ୍ରମେ ଯାତ୍ରାର ଶୈଳୀରେ ପରିବର୍ତ୍ତନ ହେଲା। ବହୁ ବର୍ଷ ପୂର୍ବରୁ କୌଣସିି ଯାତ୍ରାର କାହାଣୀ ଆରମ୍ଭ ପୂର୍ବରୁ ଯେଉଁ କ୍ଷୁଦ୍ର ନୃତ୍ୟନାଟିକା ହେଉଥିଲା ତାକୁ ବିଲୁପ୍ତ କରାଯାଇ କିଛି ଭଜନ ଜଣାଣ ଆଦି ପରିବେଷଣ କରାଗଲା। ତା’ପରେ ଲଘୁ ସଙ୍ଗୀତ ଓ ସିନେମା ଗୀତ ତାଳେ ତାଳେ ନର୍ତ୍ତକୀ ନର୍ତ୍ତକଙ୍କ ନୃତ୍ୟ କରିବାର ଦେଖାଗଲା। ଯେଉଁଥିରେ କ୍ରମେ କ୍ରମେ କିଛି ଅପସଂସ୍କୃତି ସମ୍ପନ୍ନ ଗୀତ ସହ ନୃତ୍ୟ କରୁଥିବା ନର୍ତ୍ତକୀମାନେ ଛୋଟ ପୋଷାକ ପରିଧାନ କରୁଥିବା ସତ୍ତ୍ୱେ ତାହା ଅତ୍ୟଧିକ ଦୃଷ୍ଟିକଟୁ ନଥିଲା। ଏବେ ତା’ର ପରିବର୍ତ୍ତନ ହୋଇ କିଛି ଯାତ୍ରାରେ ସର୍କସ ଭଳି କିଛି ରୋମାଞ୍ଚ ଉଦ୍ରେକ ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଯାତ୍ରା ଆରମ୍ଭରୁ କିଛି ଉଦ୍‌ଘୋଷକ ଓ ଉଦଘୋଷିକା ମାନେ ବିଭିନ୍ନ ଦ୍ବିଅର୍ଥ ବୋଧକ ଶବ୍ଦ ପ୍ରୟୋଗ କରୁଥିବାରୁ ଯାତ୍ରା ଦେଖିବାକୁ ପରିବାର ସହ ଆସୁଥିବା ଦର୍ଶକଙ୍କୁ ଅସହ୍ୟ ହେଉଛି।
ଯାତ୍ରାରେ ଏକ ବିରାଟ ପରିବର୍ତ୍ତନ ସେତେବେଳେ ଆସିଲା ଯେତେବେଳେ ଜଣେ ବ୍ୟବସାୟିକ ପୃଷ୍ଠଭୂମି ଥିବା ଓ ବିଭିନ୍ନ ଗଣମାଧ୍ୟମ ସହ ଏକାଧିକ ଶିକ୍ଷା ଓ ବୈଷୟିକ ଶିକ୍ଷା ଅନୁଷ୍ଠାନର ମାଲିକ ଓ ରାଜନେତା ଯାତ୍ରା ଜଗତକୁ ପ୍ରବେଶ କଲେ। ସେ ଏକକାଳୀନ ଅନେକ ଯାତ୍ରା ଅନୁଷ୍ଠାନ ଆରମ୍ଭ କରିବା ସହ ଅନ୍ୟ ଯାତ୍ରା ଅନୁଷ୍ଠାନରେ ସୁନାମ ଅର୍ଜନ କରିଥିବା କଳାକାରମାନଙ୍କୁ ଅତ୍ୟଧିକ ଦରମା ଦେଇ ନିଜର ଅନୁଷ୍ଠାନରେ ସାମିଲ କଲେ। ଫଳରେ ଯେଉଁ ଅନୁଷ୍ଠାନରେ ଦର୍ଶକଙ୍କୁ ବାନ୍ଧି ରଖିବାର ଦକ୍ଷତା ଏଂ ଦର୍ଶକଙ୍କ ପାଇଁ ଗ୍ରହଣୀୟ ହେଉଥିବା କଳାକାରମାନେ ଥିଲେ ସେମାନେ ସେହି ଅନୁଷ୍ଠାନର ମାଲିକଙ୍କ ସହ ଦରମା ବୃଦ୍ଧିର ମୂଲଚାଲ କଲେ । ଫଳତଃ ଅନୁଷ୍ଠାନର ସୁନାମ ଏବଂ ବ୍ୟବସାୟିକ ସଫଳତା ପାଇଁ ଉଚ୍ଚ ବେତନ ଦେବାକୁ ସମ୍ପୃକ୍ତ ମାଲିକମାନେ ବାଧ୍ୟବାଧକତାରେ ରାଜି ହୋଇଗଲେ। ସେଇ ଯାତ୍ରା କଳାକାରମାନଙ୍କର ଉଚ୍ଚ ବେତନର ପ୍ରଭାବ ଯାତ୍ରା ଦର୍ଶକଙ୍କ ଉପରେ ପଡ଼ିଲା। କୌଣସି ଅଗ୍ରଣୀ ଅନୁଷ୍ଠାନର ଯାତ୍ରା ଦେଖିବା ପାଇଁ ସର୍ବାଧିକ ଦୁଇଶହ ଟଙ୍କାର ଟିକେଟ ଚାରିଶହ ଟଙ୍କା ହୋଇଗଲା। ଅପରପକ୍ଷରେ ଯାତ୍ରାରେ ଅଭିନୟର ଯାଦୁ ବା ବଳିଷ୍ଠ କାହାଣୀ ନ ରହିବାରୁ ତାହା ଦର୍ଶକଙ୍କୁ ପ୍ରଭାବିତ କଲାନାହିଁ। ଯେତେବେଳେ ଅଧିକ ଟଙ୍କା ଦେଇ ପରିବାର ସହ ଯାତ୍ରା ଦେଖିବାକୁ ଦର୍ଶକମାନେ କୁଣ୍ଠିତ ହେଲେ ସେତେବେଳେ ଯାତ୍ରା କରାଉଥିବା କମିଟି ତରଫରୁ କୌଣସି ଚଳଚ୍ଚିତ୍ର ଅଭିନେତ୍ରୀ ବା ଅଭିନେତାଙ୍କୁ ଆଣି ଏକ ଘଣ୍ଟାର କାର୍ଯ୍ୟକ୍ରମ କରାଗଲା। ଏହା ଯୁବପଢ଼ିଙ୍କୁ ଆକର୍ଷିତ କଲା । ଯାତ୍ରା ମାଲିକମାନେ ମଧ୍ୟ ନାଟକର କାହାଣୀ, ଦୃଶ୍ୟସଜ୍ଜା ବା ସଂଳାପକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ଆକର୍ଷଣୀୟ ଫାଟକଠାରୁ ଆଲୋକ ବ୍ୟବସ୍ଥା ଓ ଏଲ୍‌ଇଡି ପରଦା ଏଂ ଅର୍ଦ୍ଧନଗ୍ନ ପୋଷାକ ପରିଧାନ କରି କିଛି ଅଶ୍ଳୀଳ ମୁଦ୍ରା ମାଧ୍ୟମରେ ନୃତ୍ୟକୁ ଗୁରୁତ୍ୱ ଦେବାର ପ୍ରତିଯୋଗିତା ଆରମ୍ଭ କଲେ।
ଏହି ସମୟରେ ଏକାଧିକ ଯାତ୍ରା ଦଳ କରିଥିବା ରାଜନେତା ନିର୍ବାଚନ ସମୟରେ ମାଗଣା ଯାତ୍ରା ପ୍ରଦର୍ଶନ ଏଂ ପରିଚାଳନା ଜନିତ କ୍ଷତି ଯୋଗୁ ଯାତ୍ରାପାର୍ଟି ଭାଙ୍ଗିଦେଲେ। ମାତ୍ର ଦର୍ଶକଙ୍କ ପାଖରେ ଗ୍ରହଣୀୟ ହେଉଥିବା କଳାକାରଙ୍କୁ ସେ ଦେଉଥିବା ବେତନରୁ କଳାକାରମାନେ ଓହରିଲେ ନାହିଁ ବରଂ ଏହି ଆକର୍ଷଣୀୟ ବେତନ ପାଇଁ ଅନେକ ଚଳଚ୍ଚିତ୍ର ଓ ସିରିଏଲ ଅଭିନେତ୍ରୀ ଓ ଅଭିନେତା ଯାତ୍ରାରେ ଯୋଗଦେଲେ। ତେଣୁ ଯାତ୍ରାର ବ୍ୟୟ ବଢ଼ିଚାଲିଲା। ଏହି ବର୍ଦ୍ଧିତ ଅର୍ଥ ଯାତ୍ରା ମାଲିକମାନେ ଯାତ୍ରା କରିବାକୁ ଚୁକ୍ତିବଦ୍ଧ ହେଉଥିବା କମିଟି ମାଧ୍ୟମରେ ଦର୍ଶକଙ୍କ ଉପରେ ନ୍ୟସ୍ତ କରିଦେଲେ। କିନ୍ତୁ ଏହା ଦର୍ଶକଙ୍କ ପାଇଁ ଗ୍ରହଣୀୟ ହେଲାନାହିଁ। ଏହାର ସୁଯୋଗ ନେଲେ କିଛି ତଥାକଥିତ ନୃତ୍ୟଶିଳ୍ପୀ । ମଞ୍ଚ ଉପରେ ତାଙ୍କର ଅଙ୍ଗ ପ୍ରଦର୍ଶନ ବେଳେ ଯୁବକମାନଙ୍କର ମଞ୍ଚତଳର ଆଚରଣ ଯେଉଁ ପରିସ୍ଥିତି ସୃଷ୍ଟି କରୁଛି ତାହା ଆଦୌ ସଭ୍ୟ ସମାଜର ମନୋରଞ୍ଜନ ହୋଇ ନ ପାରେ। ଅପରପକ୍ଷରେ ଯାତ୍ରାରେ ଅଭିନୟ କରୁଥିବା ଅଭିନେତ୍ରୀ ଓ ଅଭିନେତାମାନଙ୍କର ଗରିମା ଏହାଦ୍ବାରା ଯଥେଷ୍ଟ ପ୍ରଭାବିତ ହେଉଥିବା ସତ୍ତ୍ୱେ ଅଧିକ ବେତନ ନେଉଥିବାରୁ ସେମାନଙ୍କର ସ୍ବାଭିମାନ ମଧ୍ୟ ଜାଗରଣ ହେଉନାହିଁ। ଏହାର ନିରାକରଣ ପାଇଁ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମାଜିକ ଶୃଙ୍ଖଳା ସରକାରଙ୍କର ଦାୟିତ୍ୱ।

ହରିଶଙ୍କର ମିଶ୍ର
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

କର୍ମଫଳରେ ଆଶା

ବଦ୍ଦଶା ମଧ୍ୟରେ କୌଣସି କର୍ମ ନ କରି ଜୀବନ ନିର୍ବାହ କରିବା କୌଣସି ପ୍ରାଣୀ ପାଇଁ ସମ୍ଭବ ହୋଇ ନ ପାରେ। ହୁଏତ କେଉଁ ପ୍ରାଣୀ...

ଅଷ୍ଟ୍ରେଲିଆ ଓ ସାମାଜିକ ଗଣମାଧ୍ୟମ

ଗତବର୍ଷ ଶେଷଭାଗରେ ଅଷ୍ଟ୍ରେଲିଆର ସଂସଦରେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ପକାଉଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।...

ଜଙ୍ଗଲ ଓ ରାସ୍ତା

ଜଙ୍ଗଲ ଓ ରାସ୍ତା ପ୍ରସଙ୍ଗ ବହୁ ଜରୁରୀ। ଗୋଟେ ହେଉଛି ପ୍ରାକୃତିକ ଓ ଅନ୍ୟଟି କୃତ୍ରିମ ବ୍ୟବସ୍ଥା। ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆମ...

ଗାନ୍ଧିଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ

ଜାନୁଆରୀ ୧୯୧୫ରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚତ୍ଥିଲେ। ସ୍ବଦେଶକୁ ବାହୁଡ଼ି ଆସିବା ପାଇଁ ତାଙ୍କୁ ୧୯୧୨ରେ ଅନୁରୋଧ କରିଥିଲେ...

ଯୁଧିଷ୍ଠିର ଓ ଅଶୋକଙ୍କ ହିଂସା

ସମ୍ରାଟ ଅଶୋକ ଜଣେ ଐତିହାସିକ ବ୍ୟକ୍ତିତ୍ୱ। ଖ୍ରୀଷ୍ଟପୂର୍ବ ୨୬୦ ପାଖାପାଖି ଅର୍ଥାତ୍‌ ୨୩୦୦ ବର୍ଷ ପୂର୍ବେ ଅଶୋକ ଶାସନ କରୁଥିଲେ। ବିଶେଷକରି ସେ ସ୍ତମ୍ଭ ଓ...

ଦୁର୍ନୀତିର ଚକ୍ରବ୍ୟୂହ

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି।...

ସୁସ୍ବାଗତଂ

ଆମ ଓଡ଼ିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓ...

ଜାରଓ୍ବା ବଞ୍ଚାଅ

ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri