ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁନିଆରେ ବ୍ୟାପକ ପରିମାଣରେ ଘଟୁଥିବା ହିଂସା ବିଷୟରେ ଆମେ ଏହା ଭାବିପାରିବୁ ନାହିଁ ଯେ, ଏହା ପୂର୍ବ ନିର୍ଦ୍ଧାରିତ ହୋଇଛି। ଗାଜା ଯୁଦ୍ଧ ଦର୍ଶାଉଛି ଯେ, ଏହା ବିଶ୍ୱର ପ୍ରଣାଳୀ ଉପରେ ଏହାର ପ୍ରଭାବ ପକାଇଛି। ବୈଠକରେ ଅନ୍ୟ ଦେଶଗୁଡ଼ିକୁ ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧର ତୁରନ୍ତ ସମାଧାନ ଖୋଜିବା ପାଇଁ ସେ ଅନୁରୋଧ କରିଛନ୍ତି।

ଜୟଶଙ୍କର କହିଛନ୍ତି, ”ଆମେ କଠିନ ସମୟରେ ଏଠାରେ ଏକାଠି ହୋଇଛୁ। କରୋନା ମହାମାରୀର ବିପଦରୁ ବିଶ୍ୱ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି ନାହିଁ। ୟୁକ୍ରେନରେ ଯୁଦ୍ଧ ତୃତୀୟ ବର୍ଷରେ। ଗାଜାରେ ଯୁଦ୍ଧ ଭୟଙ୍କର ରୂପ ନେଉଛି।’ ସେ କହିଛନ୍ତି, ‘ଆଜିର ଦୁନିଆ ଦୁର୍ବଳ, ହତାଶ ଏବଂ ବିରୋଧୀ ଦଳରେ ବିଭକ୍ତ। ଦେଶ ମଧ୍ୟରେ ପ୍ରକ୍ରିୟା ସମାପ୍ତ ହେଉଛି ଏବଂ ବିଶ୍ୱାସ ଭାଙ୍ଗୁଛି। ଆଜିର ଦୁନିଆର ପରିସ୍ଥିତିରେ ପରସ୍ପର ସହ ଯୋଗାଯୋଗ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। କୌଣସି ପ୍ରସଙ୍ଗରେ ସହମତି ପ୍ରକାଶ କରିବା ଆହୁରି କଷ୍ଟସାଧ୍ୟ ହୋଇପଡ଼ିଛି।“

ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ବଜାରକୁ କାବୁ କରିବାରେ ସଂଯମତାର ଅଭାବ ଥାଏ, ସେତେବେଳେ ଏହା ଅନ୍ୟମାନଙ୍କ ଜୀବିକା ତଥା ସାମାଜ ପ୍ରତି କ୍ଷତି ପହଞ୍ଚାଇଥାଏ। ବିକଶିତ ଦେଶମାନଙ୍କ ଦ୍ୱାରା ଜଳବାୟୁ ଦାୟିତ୍ୱବୋଧକୁ ଏଡ଼ାଇବା ବିକାଶଶୀଳ ଦେଶର ବିକାଶ ସମ୍ଭାବନାକୁ ଦୁର୍ବଳ କରିଦିଏ। ସେ କହିଛନ୍ତି, ଭାରତ ବର୍ଷ ବର୍ଷ ଧରି ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ଦାବି କରିଆସୁଛି, ଯେଉଁଥିରେ ଏହାର ସ୍ଥାୟୀ ତଥା ଅଣ-ସ୍ଥାୟୀ ବର୍ଗରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବ।

Share