୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଗଲା ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ, ତା’ପରେ ହେଲା ଚମତ୍କାର

ଓଟାଓ୍ବା,୨୩।୨: କାନାଡାର ଅଣ୍ଟାରିଓରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଯାଇଥିବା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଶିଶୁର ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଉଦ୍ୟମକୁ ଉଚ୍ଚ ପ୍ରଶଂସା କରାଯାଉଛି।
ଗତ ଜାନୁଆରୀ ୨୪ ପେଟ୍ରୋଲିଆରେ ଏହି ଘଟଣା ଘଟିଛି। ୱେଲନ ନାମକ ଏକ ୨୦ ମାସର ଶିଶୁ ଡେ-କେୟାର ଥିବାବେଳେ ପାଣି ଭର୍ତ୍ତି ପୁଲ୍‌ରେ ଖସିପଡିଥିଲେ। ପରେ ସେ ପ୍ରବଳ ଥଣ୍ଟା ଯୋଗୁ ୫ ମିନିଟ୍‌ ପର୍ଯ୍ୟନ୍ତ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଶିଶୁଟିକୁ ବଞ୍ଚାଇବା ପାଇଁ ଡାକ୍ତରୀ ଦଳ ପହଞ୍ଚିବା ବେଳକୁ ତାଙ୍କର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ଏହା ସତ୍ତ୍ୱେ ଡାକ୍ତରମାନେ ହାର ମାନି ନ ଥିଲେ ଏବଂ ନିରନ୍ତର ପ୍ରୟାସରେ ଶିଶୁର ଜୀବନ ରକ୍ଷା କରିଥିଲେ।
ଏହାକୁ ବଞ୍ଚାଇବା ପାଇଁ ଡାକ୍ତରୀ ଦଳ ପିଲାଙ୍କୁ କ୍ରମାଗତ ତିନି ଘଣ୍ଟା ପାଇଁ ସି.ଆର.ପି ଦେଇଥିଲେ। ଏହି ସମୟରେ ଡାକ୍ତର-ନର୍ସମାନେ ଶିଶୁର ହୃଦସ୍ପନ୍ଦନକୁ ଫେରାଇ ଆଣିବାକୁ ସମସ୍ତ ପ୍ରଚେଷ୍ଟା କରିଥିଲେ। ଶେଷରେ ପିଲାଟିର ଜୀବନ ରକ୍ଷା ହୋଇଥିଲା। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଶେଷରେ ଫେବୃଆରୀ ୬ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ।

Share