Categories: ଜାତୀୟ

ସ୍ବାମୀଙ୍କ ମୃତ୍ୟୁ ପରେ ଭୁଶୁଡ଼ି ପଡ଼ିଲା ଘର, ପରେ ଏହି ବୃଦ୍ଧାଙ୍କ ଅବସ୍ଥା ଦେଖିଲେ ଆଖିରେ ଆସିବ ଲୁହ

ରାଞ୍ଚି,୫ା୯: ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ଗରିବ ଲୋକଙ୍କୁ ଶୌଚାଳୟ ମିଳୁଛି। ମାତ୍ର କାହା ପାଇଁ ଏହି ଶୌଚାଳୟ ମଧ୍ୟ ମୁଣ୍ଡ ଗୁଞ୍ଜିବାର ରାହା ପାଲଟିଛି। ଯଦିଓ ଏହା ଅତ୍ୟନ୍ତ ଦୁଃଖଦାୟକ ବିଷୟ ତଥାପି ଜଣେ ୭୫ ବର୍ଷୀୟା ବୃଦ୍ଧା ବାଧ୍ୟ ହୋଇ ଏଠାରେ ଜୀବନ ବିତାଉଛନ୍ତି। ଝାଡ଼ଖଣ୍ଡର କୋଡର୍ମା ଡୋମଚାଞ୍ଚ ବ୍ଲକ ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।


ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ କୋଡର୍ମା ଜିଲା ୧୬୫ କିଲୋମିଟର ଦୂରରେ ଅବସ୍ଥିତ। ଯେଉଁଠାରେ ଜଣେ ବୃଦ୍ଧା ଗତ ଦୁଇବର୍ଷ ଧରି ଶୌଚାଳୟରେ ରହି ଆସୁଛନ୍ତି। ମାତ୍ର ଏଥିପ୍ରତି କାହାର ନଜର ନାହିଁ। ସୂଚନା ପାଇବା ପରେ ଡେପୁଟି କମିଶନର ରମେଶ ଗୋଲାପ କହିଛନ୍ତି ଯେ, ବୃଦ୍ଧାଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ଉଚିତ୍‌। ତାଙ୍କ ନାମ ଦୁଃଖିଆ ଦେବୀ। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଃଖିଆ ଦେବୀ ରହୁଥିବା ମାଟି ଘର ବର୍ଷାରେ ଭୁଶୁଡ଼ି ପଡ଼ିଲା। ଯେତେବେଳେ ତାଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ଜାଗାରେ ସ୍ଥାନ ମିଳିଲାନି ସେତେବେଳେ ସେ ଏହି ଶୌଚାଳୟକୁ ଘର ଭାବେ ବାଛି ନେଲେ। ଏହି ଶୌଚାଳୟରେ ମଧ୍ୟ ବର୍ଷା ହେଲେ ପାଣି ଗଳୁଛି।

ଡେପୁଟି କମିଶନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଅନୁସନ୍ଧାନ ରିପୋର୍ଟ ଆଧାରରେ ବୃଦ୍ଧା ଖୁବ୍‌ଶୀଘ୍ର ସରକାରୀ ଯୋଜନାରେ ସାମିଲ ହେବେ। ତେବେ ସହାୟତା ଅପେକ୍ଷାରେ ଦୁଃଖିଆ ଦେବୀ ଜୀବନ କାଟୁଛନ୍ତି।

Share